କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସୋମବାର (ଅଗଷ୍ଟ ୨୮) କୋଲକାତାରେ କହିଛନ୍ତି ଯେ ଯଦି ଭାରତୀୟ ଜନତା ପାର୍ଟି (ବିଜେପି) ଡିସେମ୍ବରରେ ହିଁ ଲୋକସଭା ନିର୍ବାଚନ ଆୟୋଜନ କରେ ତେବେ ଆଶ୍ଚର୍ଯ୍ୟ ହେବ ନାହିଁ।

Advertisment

ମମତା ବାନାର୍ଜୀ ଦାବି କରିଛନ୍ତି ଯେ ବିଜେପି ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ସମସ୍ତ ହେଲିକପ୍ଟର ବୁକ୍ କରିସାରିଛି, ଯାହାଫଳରେ ଅନ୍ୟ ରାଜନୈତିକ ଦଳମାନେ ଏହାକୁ ପ୍ରଚାର ପାଇଁ ବ୍ୟବହାର କରିପାରିବେ ନାହିଁ।

ସେ କହିଛନ୍ତି ଯେ, ବିଜେପି ଦେଶରେ ଥିବା ବିଭିନ୍ନ ସଂପ୍ରଦାୟଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟିକରୁଛି । ଆଗାମୀ ନିର୍ବାଚନରେ ଆମେ ସମସ୍ତେ ମିଶି ବିଜେପିକୁ ହରାଇବା । ଏପରି ଯଦି ନହୁଏ, ତେବେ ବିଜେପି ଆମ ଦେଶକୁ ଏକ ଘୃଣାପରିପୂର୍ଣ୍ଣ ଦେଶରେ ପରିଣତ କରିଦେବ ।

ସେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ସମାଲୋଚନା କରି କହିଛନ୍ତି ଯେ, ରାଜ୍ୟପାଳ ସାମ୍ବିଧାନିକ ନିୟମ ଉଲ୍ଲଂଘନ କରୁଛନ୍ତି, ମୁଁ ଏହି ପଦକୁ ସମ୍ମାନ କରୁଛି କିନ୍ତୁ ତାଙ୍କ ଅସାମ୍ବିଧାନିକ କାର୍ଯ୍ୟକଳାପକୁ ସମର୍ଥନ କରୁନାହିଁ।

ମମତା ବାନାର୍ଜୀଙ୍କ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ଆଗୁଆ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ପ୍ରକାଶ କରିଛନ୍ତି।