ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ମତଦାନ ପାଇଁ ନିଷ୍ପତ୍ତି କାହା ସ୍ୱାର୍ଥରେ? ନିର୍ବାଚନ କମିସନଙ୍କୁ ପ୍ରଶ୍ନ କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ମାର୍ଚ୍ଚ ୨୭ରୁ ଅପ୍ରେଲ ୨୯ ପର୍ଯ୍ୟନ୍ତ ଆଠଟି ପର୍ଯ୍ୟାୟରେ ଆୟୋଜନ କରିବାକୁ ନିର୍ବାଚନ କମିସନ ଆଜି ଘୋଷଣା କରିବା ପରେ କମିସନଙ୍କ ଏ ପ୍ରକାର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀ।

ସୁଶ୍ରୀ ମମତା ନିର୍ବାଚନ କମିସନଙ୍କୁ ପଚାରିଛନ୍ତି ଯେ ଏ ନିଷ୍ପତ୍ତି କାହା ସ୍ୱାର୍ଥରେ? ଯଦି ଆସାମ ମତଦାନ ତିନିଟି ପର୍ଯ୍ୟାୟରେ ଏବଂ ତାମିଲନାଡୁ ଗୋଟିଏ ପର୍ଯ୍ୟାୟରେ ହୋଇପାରିବ ତେବେ ପଶ୍ଚିମବଙ୍ଗରେ କାହିଁକି ଆଠଟି ପର୍ଯ୍ୟାୟରେ ମତଦାନ ହେବ? ଖାସ୍‌ ଭାରତୀୟ ଜନତା ପାର୍ଟି (ବିଜେପି)ର ସୁବିଧା ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ନିର୍ବାଚନ କମିସନଙ୍କୁ ପଚାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ପରାମର୍ଶରେ ଏହା କରାଯାଇଛି କି? ସେମାନଙ୍କର ପ୍ରଚାରକୁ ସୁଗମ କରିବା ପାଇଁ ଏହା କରାଯାଇଛି କି? ଯାହାଫଳରେ ସେମାନେ ପଶ୍ଚିମବଙ୍ଗ ଆସିବା ପୂର୍ବରୁ ଆସାମ ଏବଂ ତାମିଲନାଡୁରେ ପ୍ରଚାର ଶେଷ କରିପାରିବେ? ହେଲେ, ଏହା ବିଜେପିକୁ ସାହାଯ୍ୟ କରିପାରିବ ନାହିଁ। ଆମେ ସେମାନଙ୍କୁ ଭାଙ୍ଗିଦେବୁ ବୋଲି କୋଲକାତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଛନ୍ତି।

ତାମିଲନାଡୁ ବିଧାନସଭାର ୨୩୪ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଓ ଆସାମ ବିଧାନସଭାର ୧୨୬ ଆସନ ପାଇଁ ତିନିଟି ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ପଶ୍ଚିମବଙ୍ଗ ବିଧାନସଭାର ୨୯୪ ଆସନ ପାଇଁ ଆଠଟି ପର୍ଯ୍ୟାୟରେ ମତଦାନ କାହିଁକି? ଟିଏମସି ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ବିଜେପି ଲୋକଙ୍କୁ ଧର୍ମ ଆଧାରରେ ଲୋକଙ୍କୁ ବିଭକ୍ତ କରିବାକୁ ଚେଷ୍ଟା କରୁଛି। ରାଜ୍ୟ ମତଦାନକୁ ପ୍ରଭାବିତ କରିବା ପାଇଁ କେନ୍ଦ୍ରରେ ଶାସକ ଦଳ ଭାବେ ବିଜେପି ଏହାର ଅଧିକାରର ଅପବ୍ୟବହାର କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ମତଦାନ ଅନୁଷ୍ଠିତ ହେବ। ଫଳାଫଳ ମେ ୨ରେ ଘୋଷଣା ହେବ।

ସମ୍ବନ୍ଧିତ ଖବର