କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ସୋମବାର ନୂପୁର ଶର୍ମାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏଭଳି ଦାବି ସହ ସେ ପ୍ରଶ୍ନ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନୂପୁର ଶର୍ମାଙ୍କୁ ଦିଲ୍ଲୀ ପୁଲିସ କାହିଁକି ଗିରଫ କରିନାହିଁ। ତାଙ୍କ କହିବା ମୁତାବକ, ପ୍ରଫେଟ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ମନ୍ତବ୍ୟ ସହ ଜଡିତ ବିବାଦ ହେଉଛି ବିଜେପି କରିଥିବା ଷଡଯନ୍ତ୍ରର ଫଳାଫଳ। ଏଭଳି କରି ସେ ଦେଶର ଲୋକଙ୍କୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି। ନୂପୁର ଶର୍ମାଙ୍କ ଗିରଫଦାରୀ ଦାବି କରି ମମତା ବାନାର୍ଜୀ କହିଛନ୍ତି ଯେ 'ଆପଣ ନିଆଁ ସହିତ ଖେଳି ପାରିବେ ନାହିଁ'।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର କନକ୍ଲେଭ ଇଷ୍ଟରେ ଯୋଗ ଦେଇ ମମତା ବାନାର୍ଜୀ କହିଛନ୍ତି ଯେ ଆମେ ବିଭାଜନ ରାଜନୀତିରେ ବିଶ୍ବାସ କରୁନାହୁଁ। ଆମେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଜୈନ ଏବଂ ବୌଦ୍ଧ ସମସ୍ତ ଲୋକଙ୍କ ପାଇଁ ଅଛୁ।
ତେବେ ଦିଦିଙ୍କ ଏଭଳି ଦାବି ପୂର୍ବରୁ ଗତକାଲି ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଥିଲା କୋଲକାତା ପୁଲିସ। ଏହାପୂର୍ବରୁ ତାଙ୍କୁ ଏମହର୍ଷ୍ଟ ଏବଂ ନାର୍କେଲଡଙ୍ଗା ପୁଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା। ହେଲେ ହାଜର ପାଇଁ ନୋଟିସ ପାଇ ବି ନୂପୁର ପୁଲିସ ଷ୍ଟେସନରେ ହାଜର ହୋଇନଥିଲେ। କୋଲକାତାର ପ୍ରାୟ ୧୦ଟି ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ବେଳେ ନୂପୁର ହାଜର ହେବା ପାଇଁ ସଫାସଫା ମନା କରିଥିଲେ। ଏହି କାରଣରୁ ଏବେ ପୁଲିସ ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-33.jpg)