କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି। କୋଲକାତାର କାଲିଘାଟରେ ଥିବା ମମତା ବାନାର୍ଜୀଙ୍କ ଘରେ ଜଣେ ଅଜ୍ଞାତ ବ୍ୟକ୍ତି ପ୍ରବେଶ କରିଥିବା ଖବର ଏବେ ଚର୍ଚ୍ଚାରେ ରହିଛି। ଶନିବାର ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି।
ସୂଚନାନୁସାରେ, ଘରର ପାଚେରି ଚଢ଼ି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ କରିଥିଲେ ଯୁବକ। ସେ ରାତିସାରା ଘର ଭିତରେ ରହିଥିବା ବେଳେ ସକାଳେ ସୁରକ୍ଷା ପାଇଁ ମୁତୟନ ଥିବା ପୁଲିସକର୍ମୀ ତାଙ୍କୁ ଦେଖିଥିଲେ। ଏବେ ତାଙ୍କୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ପୁଲିସ ପ୍ରବେଶର କାରଣ ଜାଣିବା ପାଇଁ ପଚରାଉଚରା ଜାରି ରଖିଛି। ଅଧିକାରୀଙ୍କ କହିବାନୁସାରେ, ଗିରଫ କରିବା ପରେ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ ମାମଲା ସାମ୍ନାକୁ ଆସିବା ପରେ କମିଶନର ବିନୀତ ଗୋୟଲ ଏବଂ ଅନ୍ୟ ବରିଷ୍ଠ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏହି ବ୍ୟକ୍ତି ଜଣକ ଜେଡ ବର୍ଗର ସୁରକ୍ଷାକୁ ଭାଙ୍ଗି ଭିତରକୁ କିଭଳି ପଶିଲା ତାହା ଜାଣିବା ପାଇଁ ଯାଞ୍ଚ କରାଯାଉଛି। ତେବେ ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ଏହା ସନ୍ଦେହ କରୁଛି ଯେ, ଘରେ ପ୍ରବେଶ କରିଥିବା ବ୍ୟକ୍ତି ଚୋର କିମ୍ବା ମାନସିକ ବିକାର ଗ୍ରସ୍ତ ହୋଇଥାଇପାରେ। ତେବେ ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
ଗତ ମାସ ଆରମ୍ଭରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଏକ ଡବଲ ମର୍ଡର ହୋଇଥିଲା। ଏହା ପରେ ଏଠାରେ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-14.jpg)