ଚର୍ଚ୍ଚାରେ ମମତା ବାନାର୍ଜୀ-ଶୁଭେନ୍ଦୁ ଅଧିକାରୀ ସାକ୍ଷାତ

କୋଲକାତା : ଶୁକ୍ରବାର ଦିନ ପଶ୍ଚିମବଙ୍ଗ ବିଧାନସଭାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଠରୀକୁ ଯାଇଥିଲେ। ଦୁଇ ଜଣ ବିଜେପି ବିଧାୟକ ଅଗ୍ନିମିତ୍ରା ପାଲ ଏବଂ ମନୋଜ ଟିଗ୍‌ଗା ମଧ୍ୟ ଉପସ୍ଥିତ ଥିଲେ। ନନ୍ଦିଗ୍ରାମ ପରାଜୟ ପରେ ଏହା ପ୍ରଥମ ଥର ପାଇଁ ମମତା-ଶୁଭେନ୍ଦୁଙ୍କ ସାକ୍ଷାତ। ପରେ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ତାଙ୍କ ଭାଇ ବୋଲି ସମ୍ବୋଧନ କରିଥିଲେ।

ନୂତନ ରାଜ୍ୟପାଳଙ୍କ ଶପଥ ଗ୍ରହଣ ପରେ ରାଜ୍ୟ ରାଜନୀତି ପୁଣି ସରଗରମ ହୋଇଉଠିଛି। ଶୁଭେନ୍ଦୁ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇନଥିଲେ ଏବଂ ସବୁ ଦୋଷ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲଦି ଦେଇଥିଲେ। ଏହାର ଦୁଇ ଦିନ ପରେ ଦୁହେଁ ବିଧାନସଭାରେ ଭେଟିବା ଘଟଣା ରାଜନୈତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ବୈଠକ ପରେ ମମତା କହିଛନ୍ତି ଯେ ଶୁଭେନ୍ଦୁଙ୍କୁ ଚା ପିଇବା ପାଇଁ ଡାକିଥିଲି।

ଏହି ପରିପ୍ରେକ୍ଷୀରେ ଶୁଭେନ୍ଦୁ କହିଥିଲେ, ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଯଦିଓ ମୁଁ ଚା ପିଇ ନାହିଁ। ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କ ଆଜିର ଏହି ସାକ୍ଷାତ ରାଜ୍ୟ ରାଜନୀତିରେ ଉଷ୍ମତା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର