ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ

କୋଲ୍‌କାତା: ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ କ୍ରମାଗତ ତୃତୀୟ ଥର ପାଇଁ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ ତାଙ୍କୁ ପଦ ଓ‌ ଗୋପନୀୟତାର ଶପଥ ପାଠ କରାଇଥିଲେ।

କରୋନାଭାଇରସ୍‌ ପାଇଁ ପ୍ରଯୁଜ୍ୟ ସମସ୍ତ କଟକଣା ସହ ଆଜି ପୂର୍ବାହ୍ନରେ ରାଜଭବନର ‘ଥ୍ରୋନ୍‌ ରୁମ୍‌’ରେ (ସିଂହାସନ କକ୍ଷ) ଆଜିର ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା। ଉତ୍ସବ ଏତେ ଛୋଟକାଟର ଥିଲା ଯେ, ଅନ୍ୟ ରାଜ୍ୟ ଏବଂ ଅନ୍ୟ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରାଯାଇ ନ ଥିଲା। ମମତା ବାନାର୍ଜୀ ତାଙ୍କର ଚିରାଚରିତ ଧଳା ଶାଢ଼ି ଓ ସାଲ୍‌ ପରିଧାନ କରି ବଙ୍ଗଳା ଭାଷାରେ ଶପଥ ପାଠ କରିଥିଲେ।

Image Courtesy of India Today

ଏହାପରେ ମମତା ବାନାର୍ଜୀ ତାଙ୍କର ସରକାରୀ କାର୍ଯ୍ୟାଳୟ ‘ନବାନ୍ନ’ ଅଭିମୁଖେ ଯାତ୍ରା କରିବେ। ସେଠାରେ ତାଙ୍କୁ କୋଲ୍‌କାତା ପୁଲିସ ‘ଗାର୍ଡ ଅଫ୍‌ ଅନର୍‌’ ଦେବେ।

ରାଜ୍ୟର କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ୍‌ ମନ୍ତ୍ରୀମାନେ ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ, ଅର୍ଥାତ୍‌ମେ ୯ ତାରିଖ ଦିନ ଶପଥ ଗ୍ରହଣ କରିବେ।

ସ୍ମରଣଯୋଗ୍ୟ, ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ୨୯୨ ଆସନରୁ ତୃଣମୂଳ କଂଗ୍ରେସ ୨୧୩ଟି ଆସନ ଜିଣଥିଲା। ଏହି ନିର୍ବାଚନରେ ତା’ର ଚରମ ପ୍ରତିଦ୍ବନ୍ଦ୍ବି ବିଜେପି ୭୭ଟି ଆସନ ପାଇ ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର