ଶେଖ ହସିନାଙ୍କୁ ଭେଟିବାକୁ ମୋତେ କାହିଁକି ଡାକିନ ? : ମମତା

କୋଲକାତା : ପାଣିପାଗ ପରି କ୍ଷଣକେ ବଦଳୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମିଜାଜ । ନେତାଜାଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ଉତ୍ସବକୁ ମମତା ବାନାର୍ଜୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲେ ବି ସେ ଯାଇନଥିଲେ । କହିଥିଲେ, ‘ସେ କଣ ଚାକର’ ?

କିନ୍ତୁ ଆଜି ତାଙ୍କର ଆଉ ଏକ ବୟାନ ଆସିଛି । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବେ ଭାରତ ଗସ୍ତରେ ଥିବାବେଳେ ତାଙ୍କୁ ଭେଟିବାକୁ କେନ୍ଦ୍ର ସରକାର ମମତାଙ୍କୁ ଡାକିନଥିବାରୁ ସେ ଖପ୍ପା ହୋଇଯାଇଛନ୍ତି । ହସିନାଙ୍କୁ ଭେଟିବାକୁ ତାଙ୍କୁ କାହିଁକି ଡକାଯାଇନାହିଁ ବୋଲି ମମତା ପ୍ରଶ୍ନ କରିଛନ୍ତି ।

ତୃଣମୂଳ କଂଗ୍ରେସର ଏକ ବୈଠକରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ ଶେଖ ହସିନାଙ୍କ ସହ ତାଙ୍କର ଭଲ ସଂପର୍କ ରହିଛି । ଏହା ସତ୍ତ୍ବେ କେନ୍ଦ୍ର ସରକାର ତାଙ୍କୁ ଭେଟିବାକୁ ନିମନ୍ତ୍ରଣ କରିନାହାନ୍ତି ।

ମମତା କହିଛନ୍ତି, ସେ ବୈଦେଶିକ ବ୍ୟାପାର ଓ ଦ୍ବିପାକ୍ଷିକ ସଂପର୍କ ଉପରେ କିଛି କହିବାକୁ ଚାହୁଁନାହାନ୍ତି । କିନ୍ତୁ ଯେତେବେଳେ କୌଣସି ବିଦେଶୀ ରାଷ୍ଟ୍ର ତାଙ୍କୁ ନିମନ୍ତ୍ରଣ କରୁଛନ୍ତି, କେନ୍ଦ୍ର ସରକାର ସେଥିପାଇଁ ଅନୁମତି ଦେଉନାହାନ୍ତି । “ମୁଁ ବୁଝିପାରୁନି ମୁଁ ଯେତେବେଳେ କୌଣସି ବିଦେଶୀ ଅତିଥିଙ୍କୁ ଭେଟୁଛି କାହିଁକି କେନ୍ଦ୍ର ସରକାର ଏତେ ବିବ୍ରତ ହୋଇପଡ଼ୁଛନ୍ତି ?” ମମତା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶେଖ ହସିନା ଏକ ୪ ଦିନିଆ ଭାରତ ଗସ୍ତରେ ଗତ ସୋମବାରଠାରୁ ନୂଆଦିଲ୍ଲୀରେ ଅଛନ୍ତି ।

ସମ୍ବନ୍ଧିତ ଖବର