ପ୍ରଧାନମନ୍ତ୍ରୀଙ୍କ ପାଦ ଧରିବାକୁ ପ୍ରସ୍ତୁତ: ମମତା

ମୁଖ୍ୟ ସଚିବଙ୍କୁ ଫେରାଇଦିଅ

ପିଏମ୍‌ଓ ମୋତେ ଅପମାନିତ କରୁଛି
ସମୀକ୍ଷା ବୈଠକ ନେଇ ଅପପ୍ରଚାର କରାଯାଉଛି

କୋଲକାତା : ବାତ୍ୟା ୟାସ୍‌ କ୍ଷୟକ୍ଷତି ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷା ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପେକ୍ଷା କରିବା ଘଟଣାକୁ ନେଇ ରାଜନୀତି ସଗଗରମ ରହିଛି। ଏନେଇ କେନ୍ଦ୍ର ଏବଂ ବିଜେପି ମମତାଙ୍କୁ ଟାର୍ଗେଟ୍ କରିଥିବା ବେଳେ ଏହାର ଜବାବ ଦେଇଛନ୍ତି ମମତା। ଶନିବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭି‌ଯୋଗ କରିଛନ୍ତି ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ପରାଜୟକୁ ହଜମ୍ କରିପାରୁ ନାହାନ୍ତି କେନ୍ଦ୍ରୀୟ ନେତା। ଅନ୍ୟପକ୍ଷରେ ତାଙ୍କ ସରକାର ପାଇଁ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ସମସ୍ୟା ସୃଷ୍ଟି କରୁଛନ୍ତି। ତାଙ୍କୁ କାହିଁକି ଏମିତି ଅପମାନିତ କରାଯାଉଛି ବୋଲି ପ୍ରଶ୍ନ କରି ସେ କହିଛନ୍ତି ଯେ ପଶ୍ଚିମ ବଙ୍ଗର ବିକାଶ ଲାଗି ଆବଶ୍ୟକ ପଡ଼ିଲେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଧରିବାକୁ ପ୍ରସ୍ତୁତ ଅଛନ୍ତି।

ଗତକାଲିର ସମୀକ୍ଷା ବୈଠକ ସଂପର୍କରେ ସଫେଇ ଦେଇ ମମତା କହିଛନ୍ତି ଯେ ଏସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଏକତରଫା ଖବର ପ୍ରକାଶ କରାଯାଉଥିବାରୁ ସତ କଥା ପ୍ରକାଶ କରିବା ଲାଗି ସେ ଏହି ସାମ୍ବାଦିକ ସମ୍ମିଳନୀ ଡାକିବାକୁ ବାଧ୍ୟ ହୋଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ତାଙ୍କୁ ଶେଷ ମୁହୂର୍ତରେ ସୂଚନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ତାଙ୍କୁ ୨୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲି ଏବଂ ତାଙ୍କର ଅନୁମତି ନେଇ ଯାଇଥିଲି। ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମତେ ଜାଣିଶୁଣି ଅପମାନିତ କରାଯାଇଛି। ମୋର ଛବି ଖରାପ କରିବା ପାଇଁ ଏଭଳି ଉଦ୍ୟମ ହୋଇଛି। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ବିରୋଧୀ ଦଳ ନେତା ଏବଂ ରାଜ୍ୟପାଳଙ୍କୁ କାହିଁକି ଡକାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଏବଂ ଗୁଜରାଟରେ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ବିରୋଧୀ ଦଳ ନେତାଙ୍କୁ ଡକା ଯାଇନଥିବା ବେଳେ ଏଠି କାହିଁକି ଡକାଗଲା? ଏହା ତାଙ୍କ ପ୍ରତି ଘୋର ଅପମାନ ବୋଲି ମମତା କହିଛନ୍ତି। ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ବିନା ଦ୍ବିଧାରେ ମୁଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବା ପାଇଁ ପ୍ରସ୍ତୁତ, ହେଲେ ଅପମାନକୁ ଆଦୌ ସହ୍ୟ କରିପାରିବି ନାହିଁ ବୋଲି ମମତା କହିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ରାଜନୈତିକ ପ୍ରତିଶୋଧରେ ପୂର୍ଣ୍ଣଚ୍ଛେଦ ପକାନ୍ତୁ। ମୁଖ୍ୟ ସଚିବ ଆଳାପନ ବାନାର୍ଜୀଙ୍କୁ ଦିଲ୍ଲୀ ଫେରାଇ ନେବା ପାଇଁ ଦିଆଯାଇଥିବା ଆଦେଶକୁ ପ୍ରତ୍ୟାହାର କରନ୍ତୁ ଏବଂ ତାଙ୍କୁ ସଂକ୍ରମଣ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ଅନୁମତି ଦିଅନ୍ତୁ। ପରାଜୟକୁ ଗ୍ରହଣ କରି ଆମକୁ ସହଯୋଗ କରନ୍ତୁ ବୋଲି ମମତା ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର