କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ବିଧାନସଭା ନିର୍ବାଚନରେ କେବଳ ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏ ନେଇ ଏକ ରାଲିରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଜାନୁଆରି ୧୮ରେ, ମମତା ବାନାର୍ଜୀ ପଶ୍ଚିମବଙ୍ଗର ପୂର୍ବ ମେଦିନପୁରରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ସେ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ ହୋଇଛି। ପୂର୍ବରୁ ମମତା ବାନାର୍ଜୀ ସର୍ବଦା କୋଲକାତାର ଭବାନୀପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଆସୁଥିବା ବେଳେ ଚଳିତ ବର୍ଷ ଏଥିରେ ପରିବର୍ତ୍ତନ ଆସିପାରେ ବୋଲି ଆଶା କରାଯାଉଛି।
ରାଲି ପଡିଆରେ ଏକତ୍ରିତ ହୋଇଥିବା ଜନତାଙ୍କୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଥିଲେ ଯେ, “ଯଦି ମୁଁ ନିଜେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବି ତେବେ ଏହା କିପରି ହେବ? ଏହା ମୋର ଇଚ୍ଛା। ନିର୍ବାଚନ ସମୟରେ ମୁଁ ଅଧିକ ସମୟ ଦେଇପାରିବି ନାହିଁ କାରଣ ମୋତେ ୨୯୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ। ତେଣୁ ମୋତେ ଜିତାଇବା ପାଇଁ ଆପଣମାନେ ଉଦ୍ୟମ କରିବା ଜରୁରୀ। ନିର୍ବାଚନ ଜିତିବା ପରେ ମୁଁ ଆପଣମାନଙ୍କ ପାଇଁ ସମସ୍ତ କାର୍ଯ୍ୟ କରିବି। ମୁଁ ଭବାନୀପୁରକୁ ଅବହେଳା କରିବି ନାହିଁ। ନିଜେ ନଲଢ଼ିଲେ ମଧ୍ୟ ଏହାକୁ ଏକ ଭଲ ପ୍ରାର୍ଥୀ ଦେବି। କିନ୍ତୁ ମୁଁ ପଶ୍ଚିମବଙ୍ଗର ଟିଏମସି ମୁଖ୍ୟ ବକ୍ସିଙ୍କୁ ନନ୍ଦିଗ୍ରାମ ପାଇଁ ମୋର ନାମ ନିଶ୍ଚିତ କରିବାକୁ କହିବି।

ସେ ଆହୁରି ମଧ୍ୟ କହିଥିଲେ ଯେ, ଭବାନୀପୁର ମୋର ବଡ଼ ଭଉଣୀ ଏବଂ ନନ୍ଦିଗ୍ରାମ ମୋର ମଝିଆ ଭଉଣୀ। ମୁଁ ଉଭୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରିବି। ଭବାନୀପୁରର ଲୋକମାନେ ଏ ନେଇ ଦୁଃଖିତ ହୋଇପାରନ୍ତି, ଯାହା ମୁଁ ଚାହେଁ ନାହିଁ। ଯଦି ମୁଁ ଦୁଇଟି ଆସନରୁ ଲଢ଼ିବାରେ ସକ୍ଷମ ହେବି, ତେବେ ମୁଁ ଉଭୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବି। କିନ୍ତୁ ମୁଁ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବା ନେଇ ନିଷ୍ପତ୍ତି ନେଇସାରିଛି।
ତେବେ ମମତାଙ୍କ ଏଭଳି ଘୋଷଣା ପରେ ସେ କେବଳ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ ନା ଭବାନିପୁରରୁ ମଧ୍ୟ ନିର୍ବାଚନ ଲଢ଼ିବେ ସେ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।