ନବୀନଙ୍କ ରାସ୍ତାରେ ମମତା; ଓହରିଗଲେ ଆୟୁଷ୍ମାନ ଭାରତ ଯୋଜନାରୁ, ପ୍ରଣୟନ କରିବେ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା

କୋଲକାତା: ଶେଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାସ୍ତା ଧରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଓହରି ଯାଇଛନ୍ତି କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଭାରତ ଯୋଜନାରୁ।

ଆଜି (ଗୁରୁବାର) ଅପରାହ୍ଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ରୋକ୍‌ଠୋକ୍‌ ଶୁଣାଇ କହି ଦେଇଛନ୍ତି ଯେ କେନ୍ଦ୍ରର ବହୁ ପ୍ରଚାରିତ ଆୟୁଷ୍ମାନ୍‌ ଭାରତ ଯୋଜନାକୁ ସେ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ କରିବେ ନାହିଁ। କିମ୍ବା ଆୟୁଷ୍ମାନ ଭାରତ ଯୋଜନାରେ କୌଣସି ପ୍ରକାରର ସାହାଯ୍ୟ ସହଯୋଗ କରିବେ ନାହିଁ। କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ କେନ୍ଦ୍ରର ‘ମୋଦି କେୟାର’ ଯୋଜନା ବୋଲି କଟାକ୍ଷ କରିବା ସହ ଏହି ଯୋଜନାର ପଶ୍ଚିମବଙ୍ଗରେ କୌଣସି ଆବଶ୍ୟକତା ନଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଏଥିସହ ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନାରେ ବ୍ୟୟ ହେଉଥିବା ରାଶିର ୪୦ ପ୍ରତିଶତ ତାଙ୍କ ସରକାର କେନ୍ଦ୍ରକୁ ଦେବାର ପ୍ରଶ୍ନ ଉଠୁନାହିଁ। ଏହାସତ୍ତ୍ୱେ ଯଦି କେନ୍ଦ୍ର ସରକାର ଯଦି ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି ତେବେ ଏବାବଦରେ ଖର୍ଚ୍ଚ ହେବାକୁ ଥିବା ଶତ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ନିଜେ ବହନ କରନ୍ତୁ।

ଆୟୁଷ୍ମାନ ଭାରତ ଯୋଜନା ନାମରେ କେନ୍ଦ୍ରର ‘ମୋଦି କେୟାର’ ଯୋଜନାରେ ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବା ଅପେକ୍ଷା ସେ ପଶ୍ଚିମବଙ୍ଗ ରାଜ୍ୟବାସୀଙ୍କ ପାଇଁ ଖୁବ୍‌ଶୀଘ୍ର ନିଜସ୍ୱ ଏକ ସ୍ୱାସ୍ଥ୍ୟ ଯୋଜନା ପ୍ରଣୟନ କରିବେ ବୋଲି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ସମ୍ବନ୍ଧିତ ଖବର