ମମତା ବାନାର୍ଜୀଙ୍କ ଅଭିଯୋଗ: ନନ୍ଦିଗ୍ରାମ ରିଟର୍ଣ୍ଣିଂ ଅଫିସରଙ୍କୁ ହତ୍ୟା ଧମକ ଦିଆଯାଇଛି

ନିର୍ବାଚନ କମିସନ ବିରୋଧରେ କୋର୍ଟ ଯିବେ ମମତା

କୋଲକାତା : ପଶ୍ଚିମ ବଙ୍ଗର ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଏବଂ ଫଳାଫଳକୁ ନେଇ ବିବାଦ ବଢ଼ି ଚାଲିଛି। ଗତକାଲି ଗଣତି ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରାର୍ଥୀ ମମତା ବାନାର୍ଜୀଙ୍କୁ ନିର୍ବାଚନ କମିସନ ବିଜୟୀ ଘୋଷଣା କଲେ। କିନ୍ତୁ କିଛି ସମୟ ପରେ କମିସନ୍ ତାଙ୍କର ନିଷ୍ପତ୍ତି ବଦଳାଇ ମମତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ନିର୍ବାଚିତ ଘୋଷଣା କଲେ। ତୃଣମୂଳ କଂଗ୍ରେସ ଏହାର ପ୍ରତିବାଦ କରିବା ସହିତ ପୁଣି ଭୋଟ ଗଣତି ପାଇଁ ଦାବି କରିବାରୁ ନିର୍ବାଚନ ଅଧିକାରୀ (ରିଟର୍ଣ୍ଣିଂ ଅଫିସର) ଏହାକୁ ପ୍ରତ୍ୟାଖ୍ୟାନ କରିଦେଲେ। କମିସନଙ୍କ ଏଭଳି ଆଚରଣ ବିରୋଧରେ ମମତା କୋର୍ଟ ଯିବେ ବୋଲି କହିଛନ୍ତି।

ଆଜି ଏସଂପର୍କରେ ସୂଚନା ଦେଇ ମମତା କହିଛନ୍ତି ଯେ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ କମିସନ ଅଧିକାରୀମାନେ ତାଙ୍କୁ ଏବଂ ତାଙ୍କ ଦଳକୁ ବିଭିନ୍ନ ପ୍ରକାର ହଇରାଣ କରି ଆସୁଛନ୍ତି। ଗତକାଲି ଏହାର ସୀମା ଟପିଯାଇଛି। ପାଖାପାଖି ମଧ୍ୟରାତି ପର୍ଯ୍ୟନ୍ତ ଚାଲିଥିବା ନନ୍ଦିଗ୍ରାମ ଭୋଟ ଗଣତି ବେଳେ ନିର୍ବାଚନ ଅଧିକାରୀ ଧୋକାବାଜି କରିଥିଲେ। ପ୍ରଥମେ ତାଙ୍କୁ ଏହି ଆସନରୁ ନିର୍ବାଚିତ ଘୋଷଣା କରାଗଲା। ଏଥିପାଇଁ ରାଜ୍ୟପାଳ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଲେ। କିନ୍ତୁ କମିସନ୍ ହଠାତ୍ ତାଙ୍କର ନିଷ୍ପତ୍ତି ବଦଳାଇ ଶୁଭେନ୍ଦୁଙ୍କୁ ବିଜୟୀ ଘୋଷଣା କଲେ। ଏହା କେମିତି ହୋଇପାରିବ? ବୋଲି ‌ସେ ପ୍ରଶ୍ନ କରିଛନ୍ତି। ଏହି ଆସନରେ ଭୋଟ ଗଣତି ଏବଂ ଫଳାଫଳ ଘୋଷଣା ‌ବେଳେ କମିସନଙ୍କ ସରଭରକୁ ଜାଣିଶୁଣି ୩ ଘଣ୍ଟାରୁ ଅଧିକ ସମୟ ଧରି ଅଚଳ କରି ରଖାଗଲା। ଏହା ଷଡ଼ଯନ୍ତ୍ର ଛଡ଼ା ଆଉ କିଛି ନାହିଁ। ଭୋଟ ପୁନଃଗଣତି ପାଇଁ ତାଙ୍କର ଦାବିକୁ ମଧ୍ୟ ନିର୍ବାଚନ ଅଧିକାରୀ ଅଗ୍ରାହ୍ୟ କରିଦେଲେ। ଏହା ବିରୋଧରେ ସେ କୋର୍ଟ ଯିବେ ବୋଲି କହିଛନ୍ତି।

ମମତା ଆହୁରି କହିଛନ୍ତି ଯେ ତାଙ୍କୁ ଖବର ମିଳିଛି ଯେ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ଉପରେ ଚାପ ଥିଲା। ଅଧିକାରୀ ଜଣକ ଭୋଟ୍‌ର ସାନି ଗଣତି ଲାଗି କମିସନଙ୍କର ଅନୁମତି ଲୋଡ଼ିଥିଲେ। କିନ୍ତୁ କମିସନର ଜଣେ ଅଧିକାରୀ ତାଙ୍କୁ ଏହା ନକରିବା ଲାଗି ଧମକ ଦେଇଥିଲେ। ଏମିତିକି ତାଙ୍କ ଜୀବନ ବିପଦରେ ପଡ଼ିବ ବୋଲି କୁହାଯାଇଥିଲା। ଯାହାଫଳରେ ସେ ପୁଣି ଭୋଟ୍‌ ଗଣତି କରିବାକୁ ମନା କରିଦେଲେ। ଏଭଳି ଆଚରଣ ପ୍ରଦର୍ଶନ କରି କମିସନ ତାଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି। ତେଣୁ ଏହା ବିରୋଧରେ ସେ କୋର୍ଟ ଯିବେ।

ମମତା ଆହୁରି କହିଲେ ଯେ ଆରମ୍ଭରୁ କମିସନ୍ ତାଙ୍କ ଦଳକୁ ନିର୍ଯାତନା ଦେଇ ଆସୁଛନ୍ତି। କେନ୍ଦ୍ରର ପସନ୍ଦ ମୁତାବକ ଅଧିକାରୀମାନଙ୍କୁ ରାଜ୍ୟରେ ନିୟୋଜିତ କରାଗଲା। ଏପରିକି କେନ୍ଦ୍ରୀୟ ଫୋର୍ସ ମଧ୍ୟ ଗ୍ରାମବାସୀଙ୍କୁ ବହୁତ ନିର୍ଯାତନା ଦେଇଛନ୍ତି। ଲୋକମାନଙ୍କୁ ମାରପିଟ୍ କରାଯାଇଛି। ‌ଭୋଟରେ ବାଧା ଦିଆଯାଇଛି। ତେଣୁ କମିସନଙ୍କ ବିରୋଧରେ ସେ ସୁପ୍ରିମ କୋର୍ଟ ଯିବେ।

ସମ୍ବନ୍ଧିତ ଖବର