ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ପରେ ତୃଣମୂଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ୨୫ ତାରିଖରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତରେ ଆସୁଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ବିରୋଧୀ ଦଳ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇ ଉଠିଲାଣି।
ବିଜେପିର ନିର୍ବାଚନୀ ରଣନୀତିକୁ ସାମ୍ନା କରି ପଶ୍ଚିମବଙ୍ଗରେ ବିଜୟୀ ହୋଇଥିବା ମମତା ବାନାର୍ଜୀ ଆଗାମୀ ସାଧାରଣ ନିର୍ବାଚନରେ ବିରୋଧୀ ମୋର୍ଚ୍ଚାରେ ଏକ ବଡ଼ ଭୂମିକା ନେବେ ବୋଲି ଅଟକଳ କରାଯାଉଛି। ସୂତ୍ରରୁ ଜଣାପଡ଼ିଛି, ମମତା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାଷ୍ଟ୍ରବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆମ୍ ଆଦ୍ମି ପାର୍ଟି ମୁଖ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ଅନ୍ୟ ବିରୋଧୀ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହି ଗସ୍ତବେଳେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଆସିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/mamata-b.jpg)