ପାର୍ଥଙ୍କ ଗିରଫ ହେବା ମୋତେ ବ୍ୟକ୍ତିଗତ ଭାବେ ଆଘାତ ଦେଇଛି, ଦୁର୍ନୀତିକୁ ସହ୍ୟ କରାଯିବନି: ମମତା ବାନାର୍ଜୀ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ବାରା ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ। ଗିରଫର ଦୁଇ ଦିନ ପରେ ପାର୍ଥଙ୍କ ଗିରଫଦାରୀକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ପ୍ରତିକ୍ରିୟା ପାଇଁ ଅପେକ୍ଷା କରାଯାଇଥିବା ବେଳେ ଏବେ ଦିଦି ନିଜ ମୁହଁ ଖୋଲିଛନ୍ତି। ଦୁର୍ନୀତିର ସମର୍ଥନ କରୁନାହୁଁ। ଦୋଷୀକୁ ଦଣ୍ଡ ମିଳିବା ଉଚିତ ବୋଲି କହିଛନ୍ତି ଦିଦି।

ତାଙ୍କ କହିବା ମୁତାବକ, ମୁଁ ଦୁର୍ନୀତି କିମ୍ବା କୌଣସି ପ୍ରକାରର ଭୁଲକୁ ସମର୍ଥନ କରିବି ନାହିଁ। ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଦଣ୍ଡ ଦିଆଯାଉ। ଆଜୀବନ କାରାଦଣ୍ଡ ଦିଆଯାଉ। କିନ୍ତୁ ମୋ ବିରୋଧରେ ଚାଲିଥିବା ଏହି କୁତ୍ସିତ ଅଭିଯାନକୁ ମୁଁ ନିନ୍ଦା କରୁଛି। ଯଦି ବିଜେପି ଚିନ୍ତା କରୁଛି ଯେ କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ମୋ ଦଳକୁ ଭାଙ୍ଗିଦେବ ତେବେ ଏହା କେବେ ହେବ ନାହିଁ। ପାର୍ଥ କରିଥିବା ଭୁଲ ବିଷୟରେ ଜାଣି ମୁଁ ବ୍ୟକ୍ତିଗତ ଭାବେ ଆଘାତ ପାଇଛି। ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ସେ ଏପରି କାର୍ଯ୍ୟ କରିପାରନ୍ତି। ଏହା ସତ ହୋଇପାରେ ନହୋଇ ବି ପାରେ। ବିଜେପି ଟିଏମସି ବିରୋଧରେ ଷଡ଼ଯନ୍ତ୍ର ମଧ୍ୟ କରୁଥାଇପାରେ। ଏହାର ତଦନ୍ତ ଜରୁରୀ ଏବଂ ସଠିକ ସମୟରେ ତଦନ୍ତ ଶେଷ ହେବା ଜରୁରୀ।

ଉଲ୍ଲେଖଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଜୁଲାଇ ୨୩ରେ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ଇଡି। ଏହା ପରେ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର