ତୃତୀୟ ଥର ପାଇଁ ମମତା ମୁଖ୍ୟମନ୍ତ୍ରୀ ହେଲେ, ରାଜଭବନରେ ଶପଥ ନେଲେ

ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଆଜି, ମମତାଙ୍କୁ ସାନ ଭଉଣୀ ବୋଲି ସମ୍ବୋଧନ କଲେ ରାଜ୍ୟପାଳ

କୋଲକାତା: ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ପୂର୍ବାହ୍ନ ୧୦.୪୫ରେ ରାଜଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ଜଗଦୀପ ଧନଖଡ଼ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମମତା ବଙ୍ଗଳା ଭାଷାରେ ଶପଥ ପାଠ କରିଥିଲେ। ତୃଣମୂଳର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀ ଗୃହର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ଶପଥ ନେଇଛନ୍ତି। ୬ ଓ ୭ ତାରିଖ ଦିନ ହେବାକୁ ଥିବା ବିଧାନସଭା ବୈଠକରେ ନବନିର୍ବାଚିତ ବିଧାୟକମାନଙ୍କୁ ସେ ଶପଥ ପାଠ କରାଇବେ। ଆସନ୍ତାକାଲି ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ବିଜେପି ରାଜ୍ୟ ଅଧ୍ୟକ୍ଷ ଦିଲୀପ ଘୋଷ ଏହି ଶପଥଗ୍ରହଣ ଉତ୍ସବକୁ ବର୍ଜନ କରିଥିଲେ।

ଶପଥ ଗ୍ରହଣ ପରେ ମମତା ଗଣମାଧ୍ୟମକୁ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ କରୋନାକୁ ନିୟନ୍ତ୍ରଣ କରିବା ପ୍ରଥମ କର୍ତ୍ତବ୍ୟ। ନିର୍ବାଚନୀ ହିଂସାକାଣ୍ଡରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମମତା କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଉତ୍ତେଜନା ଲାଗି ରହିଛି। ଟିଏମ୍‌ସି କର୍ମୀଙ୍କ ଦ୍ବାରା ୧୪ ଜଣ ବିଜେପି କର୍ମୀଙ୍କୁ ହତ୍ୟା, ଶତାଧିକ କର୍ମୀଙ୍କୁ ବର୍ବର ଅକ୍ରମଣ ଏବଂ ପୋଡ଼ାଜଳା ଘଟଣାର ଜୋର୍‌ଦାର ପ୍ରତିବାଦ ଜାରି ରହିବ ବୋଲି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା କହିଛନ୍ତି। ଆଜି କୋଲକାତାରେ ନଡ୍ଡାଙ୍କ ଧାରଣା ପୂର୍ବରୁ ତାଙ୍କ ମଂଚକୁ ପୁଲିସ ଭାଙ୍ଗି ଦେଇଥିଲା।

ମମତାଙ୍କୁ ସାନ ଭଉଣୀ ବୋଲି ସମ୍ବୋଧନ କଲେ ରାଜ୍ୟପାଳ
କୋଲକାତା: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମମତା ବାନାର୍ଜୀଙ୍କୁ ସାନ ଭଉଣୀ ବୋଲି ସମ୍ବୋଧନ କରି ରାଜ୍ୟପାଳ ଜଗଦୀପ ଧନଖଡ଼ କଡ଼ା ବାର୍ତ୍ତା ଦେଇଛନ୍ତି। ରାଜ୍ୟପାଳ କହିଛନ୍ତି ନିର୍ବାଚନ ପରବର୍ତ୍ତୀ ହିଂସାକୁ ଯେତେଶୀଘ୍ର ରୋକାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବା ସହିତ ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତୃତୀୟଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ମମତା ରାଜ୍ୟରେ ହିଂସା ପ୍ରତିହତ କରି ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରୟାସ କରିବେ ବୋଲି ରାଜ୍ୟପାଳ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର