ହସ୍ପିଟାଲରୁ ମମତାଙ୍କ ଭିଡିଓ ବାର୍ତ୍ତା: ହୁଇଲ ଚେୟାରରେ ବସି ନିର୍ବାଚନ ପ୍ରଚାର କରିବି, ସମସ୍ତେ ଶାନ୍ତି ବଜାୟ ରଖନ୍ତୁ

କୋଲକାତା: ନନ୍ଦିଗ୍ରାମରେ ଆହତ ହୋଇ କୋଲକାତାରେ ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲରୁ ନିଜର ସମର୍ଥକ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।

ମମତା ବାନାର୍ଜୀ ଏହି ଭିଡିଓରେ କହିଛନ୍ତି, ଗତକାଲିର ଆକ୍ରମଣରେ ମୋତେ ଗଭୀର ଆଘାତ ଲାଗିଛି, ଯେଉଁ କାରଣରୁ ହାତ ଓ ଗୋଡ଼ରେ ଯନ୍ତ୍ରଣା ହେଉଛି। ମୁଣ୍ଡ ବିନ୍ଧା ବି ହେଉଛି। କିଛିଦିନ ପରେ ହସ୍ପିଟାଲରୁ ବାହାରି ଆସିଲେ ହୁଇଲ ଚେୟାରରେ ବସି ନିର୍ବାଚନ ପ୍ରଚାର କରିବି।

ମମତା ତାଙ୍କ ସମର୍ଥକଙ୍କୁ ଆବେଦନ କରି କହିଛନ୍ତି କି, ସମସ୍ତେ ଶାନ୍ତି ବଜାୟ ରଖନ୍ତୁ । ଆଶା କରୁଛି କି ଖୁବଶୀଘ୍ର ହସ୍ପିଟାଲରୁ ବାହାରକୁ ଆସିବି। ଗୋଡ଼ରେ ଯନ୍ତ୍ରଣା ଥିଲେ ବି ମୁଁ ହୁଇଲ ଚେୟାରରେ ବସି ପ୍ରଚାର କରିବି।

ମମତା ବାନାର୍ଜୀଙ୍କ ବଳାଗଣ୍ଠି ଓ କାନ୍ଧ ହାଡ଼ରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ୪୮ ଘଣ୍ଟା ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଡାକ୍ତରମାନେ କହିଛନ୍ତି। ୬ଜଣ ଡାକ୍ତରଙ୍କ ଏକ ଟିମ ମମତାଙ୍କ ସ୍ବାସ୍ଥ୍ୟ ଉପରେ କ୍ରମାଗତ ନଜର ରଖିଛନ୍ତି।

ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଏମ୍‌. ବନ୍ଦୋପାଧ୍ୟାୟ କହିଛନ୍ତି, ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି ଯେ ତାଙ୍କ ବାମ ଗୋଡ଼ର ବଳାଗଣ୍ଠି ହାଡ଼ରେ ଭୀଷଣ ଆଘାତ ଲାଗିଛି ଓ ବାମ ପାଦ କ୍ଷତାକ୍ତ ହୋଇଛି। ତାଙ୍କର ଡାହାଣ କାନ୍ଧ, ବାହୁ ଓ ବେକରେ ମଧ୍ୟ ଆଘାତ ଲାଗିଛି। ଅଘଟଣ ପରଠାରୁ ଛାତିରେ ଯନ୍ତ୍ରଣା ହେବା ସହ ଅଣନିଃଶ୍ୱାସୀ ଲାଗୁଥିବା କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି। ‌ତେଣୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯିବ।

ସମ୍ବନ୍ଧିତ ଖବର