ମମତା-କେନ୍ଦ୍ର ବିବାଦ:ସଂସଦରେ କୋଲକାତା ତାତି

ନୂଆଦିଲ୍ଲୀ: କୋଲକାତାରେ ସିବିଆଇ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଲାଗି ରହିଥିବା ଅଭାବନୀୟ ସ୍ଥିତି ସଂପର୍କରେ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହ ସଂସଦରେ ବୟାନ ରଖିଛନ୍ତି। ଏହି ପ୍ରସଙ୍ଗ ନେଇ ଆଜି ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ଏବଂ ଗୃହ ବାରମ୍ବାର ମୁଲତବୀ ରହିବାରୁ କୌଣସି କାମ ହୋଇପାରି ନଥିଲା। ବିରୋଧୀ ଦଳମାନେ ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧାରଣାକୁ ସମର୍ଥନ କରିବା ସହ ମୋଦୀ ସରକାର ସିବିଆଇର ଦୁରୂପଯୋଗ କରୁଥିବା ଅଭିଯୋଗ କରିଥିଲେ। ଏହାପରେ ଏହି ମାମଲାରେ ଗୃହମନ୍ତ୍ରୀ ରାଜନାଥ ସିଂହ ସଂସଦରେ ବିବରଣୀ ଦେଇଥିଲେ। ମମତା ବାନାର୍ଜୀ ସଂଘୀୟ ଢାଞ୍ଚାକୁ ଅବମାନନା କରି ସିବିଆଇକୁ ଅଟକାଇବା ପାଇଁ ଯେଭଳି ପ୍ରୟାସ କଲେ ଏବଂ ଯେଉ ଢଙ୍ଗରେ ଧାରଣା କାର୍ଯ୍ୟକ୍ରମ ଚଳାଇଛନ୍ତି ତାହା ଅଭୂତପୂର୍ବ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ବିରୋଧୀ ‌ବୋଲି ରାଜନାଥ କହିଛନ୍ତି। ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତିରେ ଲକ୍ଷ ଲକ୍ଷ ଗରିବ ଲୋକ ତଳିତଳାନ୍ତ ହୋଇଯାଇଥିଲେ ମଧ୍ୟ ସେମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ମମତା ଆଇନର ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ବୋଲି ଗୃହମନ୍ତ୍ରୀ କହିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହିଁ ଏହି ମାମଲାରେ ତଦନ୍ତ ହେଉଛି ବୋଲି ସେ କହିଥିଲେ।
ତଦନ୍ତରେ ରାଜ୍ୟ ପୁଲିସ ସହଯୋଗ କରିବା ପରିବର୍ତ୍ତେ ଦମନ ନୀତି ଧରିବା ଏବଂ କେତେକ ପ୍ରଭାବଶାଳୀ ନେତା ଓ ଅଧିକାରୀଙ୍କୁ ସୁରକ୍ଷା ଦେବାପାଇଁ ଅରାଜକତା ସ୍ଥିତି ସୃଷ୍ଟି କରିଥିବାରୁ ଏହା କଦାପି ଗ୍ରହଣୀୟ ହେବନାହିଁ ବୋଲି ରାଜନାଥ କହିଛନ୍ତି। କୋଲକାତାରେ ସିବିଆଇ ଟିମ୍‌କୁ ସୁରକ୍ଷା ଦେବାପାଇଁ କେନ୍ଦ୍ର ସରକାର ସିଆର୍‌ପିଏଫ୍‌ ମୁତୟନ ଆଦେଶ ଦେବାପାଇଁ ବାଧ୍ୟ ହୋଇଥିବା ରାଜନାଥ କହିଛନ୍ତି।

ସମ୍ବନ୍ଧିତ ଖବର