ମୋଦୀଙ୍କ ବୈଠକରେ ବସିଲେନି ମମତା, ମୁଖ୍ୟସଚିବଙ୍କୁ ରାତିଅଧିଆ କେନ୍ଦ୍ର ଫେରାଇନେଲା

କୋଲକାତା : ପଶ୍ଚିମବଙ୍ଗରେ ବାତ୍ୟା ୟାସ୍‌ରେ ହୋଇଥିବା କ୍ଷୟକ୍ଷତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମୀକ୍ଷା ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଚାନକ ଉପେକ୍ଷା କରି ପଳାଇବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଅଧଘଣ୍ଟା ଅପେକ୍ଷା କରାଇବା ପରେ ମମତା ବୈଠକ ସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ବୈଠକରେ ସାମିଲ ନହୋଇ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ଦେଇ ପ୍ରସ୍ଥାନ କରିଥିଲେ। ‘୨୦ ହଜାର କୋଟି ଟଙ୍କାର ସହାୟତା ଦାବି କରୁଛି ଏବଂ ମୋର ଅନ୍ୟ ମିଟିଂ ଅଛି’ କହି ମମତା ସେଠାରୁ ମୁଖ୍ୟ ସଚିବ ଆଳାପନ ବନ୍ଦୋପାଧ୍ୟାୟଙ୍କ ସହ ପଳାଇବା ଘଟଣାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି।

ମମତାଙ୍କ ବେପରୁଆ ଏବଂ ଖାପଛଡ଼ା ଆଚରଣ ସଂଘୀୟ ବ୍ୟବସ୍ଥା ପାଇଁ ବଡ଼ ଧକ୍କା ବୋଲି କେନ୍ଦ୍ର ସରକାରଙ୍କ ସୂତ୍ରରୁ କୁହାଯାଇଛି। ଏହି ଘଟଣାର କିଛି ଘଣ୍ଟା ପରେ କେନ୍ଦ୍ର ସରକାର ପଶ୍ଚିମବଂଗ ମୁଖ୍ୟ ସଚିବଙ୍କୁ ଫେରାଇ ନେଇଛନ୍ତି । କେନ୍ଦ୍ର ସରକାରଙ୍କ କାର୍ମିକ ଏବଂ ତାଲିମ ବିଭାଗକୁ ବନ୍ଦୋପାଧ୍ୟାୟଙ୍କ ବଦଳି ହୋଇଛି ଏବଂ ତୁରନ୍ତ ଏହି ଆଦେଶ କାର୍ଯ୍ୟକାରୀ କରିବା ପାଇଁ ପଶ୍ଚିମବଂଗ ସରକାରଙ୍କୁ କୁହାଯାଇଛି। ବନ୍ଦୋପାଧ୍ୟାୟ ମେ ୩୧ ସୁଦ୍ଧା ତାଙ୍କ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତରେ ଆସିଥିଲେ। ପଶ୍ଚିମବଂଗର କଲାଇକୁଣ୍ଡା ଏୟାରଫୋର୍ସ ବେସ୍‌ରେ ସମୀକ୍ଷା ବୈଠକର ଆୟୋଜନ କରାଯରାଇଥିଲା। ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଜଗଦୀପ ଧନଖଡ଼, ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ରାଜ୍ୟର ଅନ୍ୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ। ୩୦ ମିନିଟ୍‌ ବିଳମ୍ବରେ ମମତା ରାଜ୍ୟ ମୁଖ୍ୟ ସଚିବଙ୍କ ସହ ସେଠାରେ ପହଞ୍ଚିଥିଲେ। ମମତା ପ୍ରଧାନମନ୍ତ୍ରୀଙ୍କୁ ଭେଟି ବାତ୍ୟା କ୍ଷୟକ୍ଷତିର ରିପୋର୍ଟ ଦେଇଥିଲେ ମଧ୍ୟ ବୈଠକରେ ସାମିଲ ହୋଇନଥିଲେ। ବାତ୍ୟାରେ ଦୀଘା ଏବଂ ସୁନ୍ଦରବନ ଛାରଖାର ହୋଇ ଯାଇଥିବାରୁ ଏଥିପାଇଁ ୨୦ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଦେବାକୁ ଦାବି କରି ମମତା ତୁରନ୍ତ ସେଠାରୁ ଚାଲି ଯାଇଥିଲେ। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ମମତା ଆଜି ଯେଭଳି ଅହଙ୍କାରୀ ଏବଂ ବେପରୁଆ ଆଚରଣ ଦେଖାଇଲେ ତାହା ଦେଶର ସଂଘୀୟ ବ୍ୟବସ୍ଥା ପାଇଁ ଏକ କଳାଦିନ ବୋଲି ଶୁଭେନ୍ଦୁ କହିଛନ୍ତି।

ସମ୍ବନ୍ଧିତ ଖବର