କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସର ବଡ଼ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ବାଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଣ୍ଟା ବୁଣିଥିବା ନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅଧୀର ରଞ୍ଜନ ସବୁବେଳେ ମମତାଙ୍କୁ ଟାର୍ଗେଟ କରୁଥିବାବେଳେ ଏବେ ମମତା ଲୋକସଭା ନିର୍ବାଚନ ପାଇଁ ୪୨ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ତାଲିକାରେ ବରହାମପୁର ଲୋକସଭା ଆସନରୁ ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କରି ମମତା ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଥିବା କୁହାଯାଉଛି।
ୟୁସୁଫ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର। ସେ ଗୁଜୁରାଟର ବଡ଼ୋଦରାରେ ଜନ୍ମ ଗ୍ରହଣ କରିଥିଲେ। ବରହାମପୁରରେ ମୁସଲମାନ ଭୋଟରଙ୍କୁ ଭାଗ ଭାଗ କରିବା ପାଇଁ ମମତା ଏଭଳି କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବରହାମପୁର ଅଧୀର ରଞ୍ଜନଙ୍କ ଗଡ଼ ବୋଲି କୁହାଯାଇଥାଏ। ଏହି ଲୋକସଭା ଆସନର ୬୬ ପ୍ରତିଶତ ଭୋଟର ହେଉଛନ୍ତି ମୁସଲମାନ।
ରା‌ଜନୈତିକ ସମୀକ୍ଷକଙ୍କ ଅନୁସାରେ ମମତା ଯୋଜନାବଦ୍ଧ ଭାବେ ନିର୍ବାଚନୀ ରଣନୀତି ଆପଣେଇଛନ୍ତି। ସେ ରାଜ୍ୟରେ କଂଗ୍ରେସର ବଡ଼ ନେତାଙ୍କ ସମସ୍ୟା ବଢ଼ାଇ ଦେଇଛନ୍ତି।
ତେବେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଅଧୀର ରଞ୍ଜନଙ୍କୁ ବରହାମପୁର ଆସନରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ନାହିଁ। ତେବେ ସେ ବରହାମପୁର ଆସନରୁ ନିର୍ବାଚନ ଲଢ଼ିବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି।
ମମତା ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଅଧୀର ରଞ୍ଜନ କଡ଼ା ସମାଲୋଚନା କରିବା ଆରମ୍ଭ କରିଥିଲେ। ସେ କହିଥିଲେ ମମତାଙ୍କୁ କେହି ବିଶ୍ବାସ କରିପାରିବେ ନାହିଁ। ସେ ଜଣେ ବିଶ୍ବାସଯୋଗ୍ୟ ନେତା ନୁହନ୍ତି। ମମତା ଯଦି ୟୁସୁଫଙ୍କୁ ସମ୍ମାନ ଦେବାକୁ ଚାହୁଁଥିଲେ ତେବେ ହୁଏତ ତାଙ୍କୁ ରାଜ୍ୟସଭାକୁ ପଠାଇ ପାରିଥାନ୍ତେ। ଏଭଳି କରି ସେ ବିଜେପିକୁ ସହାୟତା କରୁଥିବା ଅଧୀର ରଞ୍ଜନ ଅଭିଯୋଗ କରିଥିଲେ।