ବିସ୍ଫୋରକ ହେଉଛି ଆସାମ ପ୍ରସଙ୍ଗ, ମମତାଙ୍କ ଗୃହଯୁଦ୍ଧ ଚେତାବନୀ

ଟିପ୍ପଣୀ ବିପଜ୍ଜନକ, କଂଗ୍ରେସ ଆଭିମୁଖ୍ୟ ସ୍ପଷ୍ଟ କରୁ: ଶାହ

ନୂଆଦିଲ୍ଲୀ: ଆସାମରେ ଏନଆରସି ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିବା ଘଟଣାକୁ କେନ୍ଦ୍ର କରି ଜତୀୟ ରାଜନୀତିରେ ବିସ୍ଫୋରକ ପରିସ୍ଥିତିି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଉଭୟ କେନ୍ଦ୍ର ଏବଂ ଆସାମ ସରକାର ଉପରେ ବର୍ଷିଛନ୍ତି। କେବଳ ସେତିକି ନୁହେଁ ଏହି ଘଟଣାକୁ ନେଇ ଦେଶରେ ଗୃହଯୁଦ୍ଧ ଓ ରକ୍ତପାତ ହୋଇପାରେ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି। ତେବେ ତାଙ୍କର ଏଭଳି ମନ୍ତବ୍ୟ ନେଇ ବିସ୍ମୟ ପ୍ରକାଶ କରିଛନ୍ତି ବିଜେପି ସଭାପତି ଅମିତ ଶାହ। ସେ ଅଭିଯୋଗ କରିଛନ୍ତି ତାଙ୍କ ଦଳ ଓ ସରକାର ଦେଶର ସୁରକ୍ଷା ନେଇ ଚିନ୍ତା କରୁଥିବା ବେଳେ ମମତା ବାନାର୍ଜୀ ଭୋଟ୍‌ ରାଜନୀତି କରୁଛନ୍ତି।

ଆସାମ ପ୍ରସଙ୍ଗରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବା ଲାଗି ମମତା ଆଜି ଦିଲ୍ଲୀ ଆସିଥିବା ବେଳେ ବିଜେପି ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଦେଶକୁ ଦୁଇ ଭାଗ କରିବା ଲାଗି ଏହି ସରକାର ଷଡ଼ଯନ୍ତ୍ର ଚଳାଇଛି। ସରକାର ନାଗରିକଙ୍କ ଭାଗ୍ୟବିଧାତା ସାଜିପାରିବେ ନାହିଁ ଏବଂ ଏହି ଅଧିକାର ବିଜେପିକୁ କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ନାଗରିକ ତାଲିକା ପ୍ରକାଶ କରି ଏବେ ଦେଶରେ ବଡ଼ ଧରଣର ବିଭେଦ ସୃଷ୍ଟି କରାଯାଇଥିବାରୁ ଏହା ରକ୍ତପାତର ରାସ୍ତା ଖୋଲିଦେବ ବୋଲି ଚେତାବନୀ ଦେଇଛନ୍ତି। ମମତା ଏନ୍‌୍‌ଆର୍‌୍‌ସିକୁ ତୀବ୍ର ବିରୋଧ କରି କହିଛନ୍ତି ଯେ ରେଜିଷ୍ଟରରେ ଯେଉଁମାନଙ୍କ ନାମକୁ ସାମିଲ କରାଯାଇ ନାହିଁ ସେମାନେ ଭାରତୀୟ କି ନୁହନ୍ତି ତାହା ସ୍ଥିର କରିବାର ଅଧିକାର ବିଜେପି ସରକାର ପାଖରେ ନାହିଁ। ଏଭଳି ତାଲିକା ପ୍ରକାଶ କରି ସରକାର ବିଭାଜନକାରୀ ନୀତି ଆପଣାଇଛନ୍ତି। ସ୍ୱର୍ଗତ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲ୍ଲୀ ଅହମ୍ମଦଙ୍କ ପରିବାର ସଦସ୍ୟମାନଙ୍କ ନାମ ଏନ୍‌୍‌ଆର୍‌୍‌ସି ତାଲିକାରେ ନାହିଁ। ଏହା କେଉଁଭଳି ତ୍ରୁଟି ତାହା ସରକାର ସ୍ପଷ୍ଟ କରିବା ଉଚିତ ବୋଲି ଦାବି କରିଛନ୍ତି। ଅନ୍ୟପକ୍ଷରେ ମମତାଙ୍କ ଏଭଳି ବୟାନ ନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହ ବିସ୍ମୟ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ ବିରୋଧୀ ଦଳମାନେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର ନେଇ ସେମାନଙ୍କ ମତ ସ୍ପଷ୍ଟ କରନ୍ତୁ। ଏବେ ବିରୋଧୀ ଦଳ ଯେଉଁ ଆଭିମୁଖ୍ୟ ଧରିଛନ୍ତି ତାହା ଦେଶ ପାଇଁ ବିପଜ୍ଜନକ। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏବଂ ତତ୍ତ୍ୱାବଧାନରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଏହା ଏକ ଚିଠା ପ୍ରସ୍ତାବ ବୋଲି ମଧ୍ୟ ସରକାର ସ୍ପଷ୍ଟ କରିଥିଲେ ମଧ୍ୟ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଭୋଟ୍‌ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶାହ କହିଛନ୍ତି। ଇତିମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ମମତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏହା ହେଉଛି କେବଳ ଚିଠା ତାଲିକା, ଏହା ଚୂଡାନ୍ତ ନୁହେଁ। ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ। ବାଦ ପଡ଼ିଥିବା ଲୋକମାନଙ୍କୁ ସେମାନଙ୍କର ଆପତ୍ତି ଅଭିଯୋଗ ଦାଖଲ ଲାଗି ସୁଯୋଗ ଦିଆଯିବ। ଏ ସମସ୍ତ କାମ ସୁପ୍ରିମକୋର୍ଟ ତତ୍ୱାବଧାନରେ ହେଉଛି। ଚିଠା ନାଗରିକ ତାଲିକାରେ ୪୦ ଲକ୍ଷ ଲୋକଙ୍କ ନାମ ନଥିବାରୁ ଏହାକୁ ନେଇ ସଂସଦ ଭିତରେ ଓ ବାହାରେ ଜୋର୍‌୍‌ଦାର ପ୍ରତିବାଦ ଦେଖିବାକୁ ମିଳିଛି। ଆସାମରେ ଅନେକ ଲୋକ କାର୍ଯ୍ୟନୁଷ୍ଠାନ ଭୟରେ ଆତଙ୍କିତ ହୋଇ ରହିଛନ୍ତି। ତେବେ ଆସାମ ସରକାର ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନର ପ୍ରଶ୍ନ ନାହିଁ ବୋଲି କହିଛନ୍ତି। କେବଳ ସୁପ୍ରିମ୍‌ କୋର୍ଟଙ୍କ ତତ୍ତ୍ୱାବଧାନରେ ତାଲିକା ପ୍ରକାଶ ପାଇଛି ଏବଂ ବିରୋଧୀ ଦଳ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ଆସାମ ସରକାର କହିଛନ୍ତି।

ସମ୍ବନ୍ଧିତ ଖବର