ନୂଆଦିଲ୍ଲୀ: ବିଜେପି ନେତା ଅମିତ ଶାହ ବୁଧବାର ପଶ୍ଚିମବଙ୍ଗର କାନ୍ଥିରେ ଏକ ରାଲି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟରେ ବିଜେପିର ଶକ୍ତି ବଢ଼ୁଥିବା ନେଇ ଶାହ ସଙ୍କେତ ଦେଇଛନ୍ତି। ଶାହ କହିଛନ୍ତି, ରାଜ୍ୟରେ ୫ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ସହ ଇଣ୍ଡି ମେଣ୍ଟ ଶେଷ ହୋଇଯାଇଛି। ଶାହ ଆକଳନ କରିଛନ୍ତି ଯେ ବିଜେପି ପଶ୍ଚିମବଙ୍ଗରେ ୩୦ ଆସନରେ ଜିତିଲେ ଟିଏମ୍ସି ଖଣ୍ଡଖଣ୍ଡ ହୋଇଯିବ ଏବଂ ଏହାପରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ସରକାର ଶେଷ ହେବାପାଇଁ ବାଟ ଫିଟିଯିବ। ଟିଏମ୍ସି ରାଜ୍ୟରେ ବେଆଇନ ଅନୁପ୍ରବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି ବୋଲି ଶାହ ଅଭିଯୋଗ କରିଛନ୍ତି। ମମତା ବାନାର୍ଜୀଙ୍କ ଉପରେ ବର୍ଷି ଶାହ କହିଛନ୍ତି, ମମତାଙ୍କ ସରକାର ପଶ୍ଚିମବଙ୍ଗକୁ ଅନୁପ୍ରବେଶକାରୀଙ୍କ ସୁରକ୍ଷିତ ଗଡ଼ରେ ପରିଣତ କରିଛି।
ରାଜନୈତିକ ଫାଇଦା ପାଇଁ ମମତା ଜାତୀୟ ସୁରକ୍ଷାରେ ସାଲିସ କରିଛନ୍ତି। ମମତାଙ୍କ କାର୍ଯ୍ୟ ଜାତୀୟ ସ୍ବାର୍ଥର ବିରୁଦ୍ଧାଚରଣ କରୁଛି ବୋଲି ଅଭିଯୋଗ କରି ଶାହ କହିଛନ୍ତି, ପଶ୍ଚିମବଙ୍ଗ ଅନୁପ୍ରବେଶକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ମମତା ପଶ୍ଚିମବଙ୍ଗର ଜନସଂଖ୍ୟାରେ ପରିବର୍ତ୍ତନ କରିବାପାଇଁ ଅନୁପ୍ରବେଶକାରୀଙ୍କୁ ଅନୁମତି ଦେଇ ପାପ କରୁଛନ୍ତି। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ରାଜ୍ୟକୁ ଏଭଳି ବିପଦଗ୍ରସ୍ତ କରୁଥିବା ଦଳ ଓ ନେତାଙ୍କୁ ଲୋକେ ବହିଷ୍କାର କରିବେ ବୋଲି ଶାହ କହିଛନ୍ତି। ମମତା ବାନାର୍ଜୀ ଭାରତ ସେବାଶ୍ରମ ସଂଘ ଉପରେ ଆକ୍ରମଣ କରୁଛନ୍ତି, କିନ୍ତୁ ସେ ଜାଣିନାହାନ୍ତି ଯେ ସଂଘ ସେଠି ନଥିଲେ ପଶ୍ଚିମବଙ୍ଗ ବାଂଲାଦେଶର ଏକ ଅଂଶ ହୋଇଥାନ୍ତା। କେବଳ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ମମତା ଅତି ତଳକୁ ଖସୁଛନ୍ତି ବୋଲି ଶାହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/amit-saha-1.jpg)