ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚିଠି, ଆମ ଭାଗ ଅକ୍ସିଜେନ୍‌ ଅନ୍ୟ ରାଜ୍ୟକୁ ଯାଉଛି

କୋଲକାତା : ତୃତୀୟ ପାଳି ଆରମ୍ଭ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ମମତା ଚିଠିରେ ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗରେ ମହାମାରୀ କରୋନା ସଂକ୍ରମଣ ଲଗାତାର ବଢ଼ି ଚାଲିଥିଲେ ମଧ୍ୟ ରାଜ୍ୟ ପାଇଁ ଉଦ୍ଦିଷ୍ଟ ଅକ୍ସିଜେନ୍‌କୁ କେନ୍ଦ୍ର ସରକାର ଅନ୍ୟ ରାଜ୍ୟକୁ ପଠାଉଛନ୍ତି।

ସେ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ, ଗତ ଏକ ସପ୍ତାହ ମଧ୍ୟରେ ବଙ୍ଗଳାରେ ଅକ୍ସିଜେନ୍‌ର ଆବଶ୍ୟକତା ୪୭୦ ମେଟ୍ରିକ୍‌ ଟନ୍‌ରୁ ବୃଦ୍ଧି ପାଇ ୫୫୦ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି। ରାଜ୍ୟ ସରକାର ପ୍ରଥମରୁ ହିଁ କେନ୍ଦ୍ର ସରକାରଙ୍କୁ କହି ସାରିଛନ୍ତି କି ପଶ୍ଚିମବଙ୍ଗ ପାଇଁ ଦୈନିକ ୫୫୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଆବଶ୍ୟକ ଅଛି। ବଙ୍ଗଳାର ଆବଶ୍ୟକତା ପୂରଣ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଅନ୍ୟ ରାଜ୍ୟକୁ ଆବଶ୍ୟକତାଠାରୁ ଅଧିକ ଯୋଗାଣ ପାଇଁ ଅନୁମତି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବଙ୍ଗଳାରେ ଦୈନିକ ୫୫୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ର ଆବଶ୍ୟକତା ଥିବାବେଳେ ମାତ୍ର ୩୦୮ ମେଟ୍ରିକ୍‌ ଟନ୍‌ ଯୋଗାଣ ହେଉଛି। ମମତା କେନ୍ଦ୍ର ସରକାରଙ୍କୁ ଚେତାଇ ଦେଇଛନ୍ତି ଯେ ବଙ୍ଗଳାରେ ଦିନକୁ ୫୬୦ ମେଟ୍ରିକ୍‌ ଟନ୍‌ ମେଡିକାଲ ଅକ୍ସିଜେନ୍‌ ଉତ୍ପାଦନ ହେଉଛି। ପ୍ରଧାନମନ୍ତ୍ରୀ ବଙ୍ଗଳାକୁ ଦିଆଯାଉଥିବା ଅକ୍ସିଜେନ୍‌ର ସମୀକ୍ଷା କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର