ମମତାଙ୍କ ପାଇଁ ଇସ୍ତଫା ଦେଲେ ଏହି ବିଧାୟକ! ତାଙ୍କ ବଦଳରେ ମମତା ଲଢ଼ିବେ ନିର୍ବାଚନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ବିଧାୟକ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ । ହେଲେ ସେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡିବ । ହେଲେ ଭବାନୀପୁରରୁ ବିଧାୟକ ଭାବେ ଜିତିଥିବା ଟିଏମସି ନେତା ଶୋଭନ ଦେବ ଆଜି ବିଧାୟକ ପଦରୁ ଇସ୍ତଫା ଦେବା ପରେ ମମତା ବାନାର୍ଜର ଭବାନୀପୁର ଆସନରୁ ପ୍ରାର୍ଥୀ ହେବା ନେଇ ଅନୁମାନ କରାଯାଉଛି । କହିରଖୁ କି ଭବାନୀପୁର ମମତା ବାନାର୍ଜୀଙ୍କର ପାରମ୍ପରିକ ଆସନ । ସେପଟେ ଆଇନ ମୁତାବକ ୬ ମାସ ମଧ୍ୟରେ ତାଙ୍କୁ ନିର୍ବାଚନ ଜିତି ବିଧାନସଭା ସଦସ୍ୟ ହେବାକୁ ପଡିବ ।

ଅନ୍ୟପଟେ ଆଜି ଇସ୍ତଫା ଦେବା ପରେ ଶୋଭନ ଦେବ କହିଛନ୍ତି କି ମମତା ବାନାର୍ଜୀଙ୍କୁ ୬ ମାସ ମଧ୍ୟରେ ରାଜ୍ୟର ଯେ କୌଣସି ଆସନରୁ ଜିତି ବିଧାନସଭାର ସଦସ୍ୟ ହେବାକୁ ପଡିବ । ଏପଟେ ତାଙ୍କ ଆସନରୁ ପ୍ରତିଦ୍ୱନ୍ଦିତା କରି ମୁଁ ବିଜୟୀ ହୋଇଥିଲି । ‘ମୁଁ ଏଥିପାଇଁ ଇସ୍ତଫା ଦେଉଛି କି, ଦିଦି ସହଜରେ ବିଧାନସଭା ନିର୍ବାଚନ ଜିତନ୍ତୁ ଓ ମୁଖ୍ୟମନ୍ତ୍ରୀ ଭାବେ ପଶ୍ଚିମବଙ୍ଗବାସୀଙ୍କ ସେବା କରନ୍ତୁ ’ | କେବଳ ଚଳିତ ନିର୍ବାଚନ ନୁହେଁ , ୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଭବାନୀପୁର ଆସନରୁ ତୃଣମୂଳ କଂଗ୍ରେସ ଟିକେଟରୁ ସୁବ୍ରତ ବକ୍ସି ନିର୍ବାଚିତ ହୋଇଥିଲେ । ହେଲେ ସେ ଇସ୍ତଫା ଦେଇଥିଲେ ।

ତା ପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଥାଇ ଭବାନୀପୁର ଆସନରୁ ନିର୍ବାଚନ ଲଢି ବିଧାନସଭାର ସଦସ୍ୟ ହୋଇଥିଲେ । ଧାରା ୧୬୪ ମୁତାବକ ‘ଜଣେ ମନ୍ତ୍ରୀ ଯିଏ କି ଲଗାତର ଭାବେ ୬ ମାସ ଯାଏ ରାଜ୍ୟ ବିଧାନସଭାର ସଦସ୍ୟ ନହୋଇ ବି ମନ୍ତ୍ରୀ ପଦରେ ରହିପାରିବ । ମାତ୍ର ୬ ମାସ ଅତିକ୍ରମ କରିବା ପରେ ସେ ଯଦି ବିଧାନସଭାର ନିର୍ବାଚିତ ସଦସ୍ୟ ହୋଇ ନ ପାରନ୍ତି ତେବେ ତାଙ୍କ ମନ୍ତ୍ରୀ ପଦ ଚାଲିଯିବ ’ । ଏହାସହ ପଶ୍ଚିମବଙ୍ଗରେ ବିଧାନପରିଷଦ ନଥିବାରୁ ମମତା ବାନାର୍ଜୀଙ୍କୁ କୌଣସି ବି ଆସନରୁ ନିର୍ବାଚନ ଲଢି ୬ ମାସ ମଧ୍ୟରେ ବିଧାନସଭା ସଦସ୍ୟ ହେବାକୁ ପଡିବ । ତେଣୁ ସେ ଭବାନୀପୁର ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର