ନୂଆଦିଲ୍ଲୀ, ୨୭/୭: ସୁପ୍ରିମ୍ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପେଗାସସ୍ ମାମଲାର ତଦନ୍ତ କରାଯିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ ବାସଭବନରେ ଆଜି ଅପରାହ୍ନରେ ସାକ୍ଷାତ କରିବା ପରେ ମମତା କହିଛନ୍ତି ଯେ ପେଗାସସ ମାମଲାରେ ପ୍ରଧାନମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡକାଇବାକୁ ସେ ଅନୁରୋଧ କରିଛନ୍ତି ଏବଂ ଏହି ମାମଲାରେ ସୁପ୍ରିମ୍ କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ କରାଯିବା ଜରୁରୀ ବୋଲି କହିଛନ୍ତି। ପଶ୍ଚିମବଂଗ ବିଧାନସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀଙ୍କ ସହ ମମତାଙ୍କର ଏହା ପ୍ରଥମ ସାକ୍ଷାତ। ନିର୍ବାଚନ ପ୍ରଚାର ସମୟରେ ଉଭୟ ପରସ୍ପରକୁ ଅତି କଡ଼ା ସମାଲୋଚନା କରିଥିଲେ ଏବଂ ତିକ୍ତତା ଚରମରେ ପହଞ୍ଚିଥିଲା।
ମମତା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ପାଇଁ ଆଗରୁ ସମୟ ମାଗିଥିଲି। ସମ୍ବିଧାନ ଅନୁଯାୟୀ ଏହା ଔପଚାରିକ ସାକ୍ଷାତ ଥିଲା। ବୈଠକରେ କରୋନାର ସ୍ଥିତି ଏବଂ ଏହାର ମୁକାବିଲା ପାଇଁ ରାଜ୍ୟକୁ ପର୍ଯ୍ୟାପ୍ତ ଟିକା ଯୋଗାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ପଶ୍ଚିମବଙ୍ଗରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ରାଜ୍ୟର ନାମ ପରିବର୍ତ୍ତନ କରି ବେଙ୍ଗାଲ ବଦଳରେ ବାଂଲା ରଖାଯିବା ପ୍ରସଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉଠାଇଲେ। ବିଜେପି ବିରୋଧୀ ମେଣ୍ଟ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମମତା କହିଲେ, ବିରୋଧୀ ଦଳ ନେତାମାନଙ୍କ ସହ ଆଲୋଚନା ହେବ ଏବଂ ଲୋକସଭା ନିର୍ବାଚନ ପାଇଁ ହାତରେ ବହୁତ ସମୟ ଅଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ମମତା କଂଗ୍ରେସ ନେତା କମଳନାଥ ଏବଂ ଆନନ୍ଦ ଶର୍ମାଙ୍କୁ ଭେଟିଥିଲେ। ତିନିଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ମମତା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଅନ୍ୟ ନେତାଙ୍କୁ ମଧ୍ୟ ଭେଟିବେ। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ମଧ୍ୟ ଆଲୋଚନା କରିବାର ସମ୍ଭାବନା ରହିଛି।