କୋଲକାତା : ଗତ କିଛି ଦିନ ହେବ ବିଭିନ୍ନ ଦୁର୍ନୀତି ମାମଲାକୁ ନେଇ ଚର୍ଚ୍ଚାରେ ଥିବା ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି) ସରକାରର ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି । ବୁଧବାରଦିନ ୮ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀଭାବେ ସ୍ଥାନ ମିଳିପାରେ । ଏହାଛଡ଼ା ପାର୍ଥ ଭୌମିକ, ସ୍ନେହାଶୀଷ ଚକ୍ରବର୍ତ୍ତୀ, ଉଦୟନ ଗୁହା ଓ ପ୍ରଦୀପ ମଜୁମଦାଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପଦ ମିଳିପାରେ ।
ସେହିପରି ବିପ୍ଳବ ରାୟ ଚୌଧୁରୀଙ୍କ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ପାହ୍ୟା) ମିଳିବାକୁ ଥିବାବେଳେ ତାଜମୁଲ ହୁସେନ ଓ ସତ୍ୟଜିତ ବର୍ମନଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିପାରେ । ଅନ୍ୟପକ୍ଷରେ ବିରବହା ହାସଦା, ଯିଏକି ପୂର୍ବରୁ ଜଙ୍ଗଲ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ, ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ( ସ୍ବାଧୀନ ଦାୟିତ୍ବ) ପ୍ରଦାନ କରାଯାଇଛି ।
ମମତାଙ୍କ ଘନିଷ୍ଠ ସହଯୋଗୀ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀପଦରୁ ବିଦା କରାଯିବା ପରେ ୪ଟି ବିଭାଗର ମନ୍ତ୍ରୀପଦ ଖାଲି ଯୋଇଯାଇଥିଲା । ସେ ଶିଳ୍ପ, ବାଣିଜ୍ୟ ଓ ଉଦ୍ୟୋଗ, ସୂଚନା ପ୍ରଯୁକ୍ତି, ସଂସଦୀୟ ବ୍ୟାପାର ବିଭାଗର ମନ୍ତ୍ରୀ ଥିଲେ ।
ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ହୋଇଥିବା ସ୍କୁଲ ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ଇଡି ଗତ ମାସରେ ପାର୍ଥଙ୍କୁ ଗିରଫ କରିଥିଲା । ଏହା ସହିତ ତାଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କୁ ବି ଗିରଫ କରାଯାଇଛି ।