ସ୍ବାସ୍ଥ୍ୟ ସଚିବଙ୍କୁ ବଦଳାଇଲେ ମମତା

କୋଲକାତା: କୋଭିଡ-୧୯ ମୁକାବିଲାରେ ପଶ୍ଚିମବଙ୍ଗ ଅସଫଳ ହେବା ସାଙ୍ଗକୁ ଜାତୀୟସ୍ତରରେ ନିନ୍ଦିତ ହେବା କାରଣରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ବିବେକ କୁମାରଙ୍କୁ ବଦଳି କରିଛନ୍ତି। ୧୯୯୦ ବ୍ୟାଚ୍‌ର ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ୍‌ ଅଫିସର ତଥା ସ୍ବାସ୍ଥ୍ୟ ସଚିବ ବିବେକ କୁମାରଙ୍କ ଅପାରଗତା କାରଣରୁ ପଶ୍ଚିମବଙ୍ଗ କୋଭିଡ-୧୯ ସଂକ୍ରମଣ ରୋକିବାରେ ବିଫଳ ହୋଇଛି।

ଏହା ସହିତ କୋଭିଡ-୧୯ ସଂକ୍ରମଣ ଓ ମୃତ୍ୟୁକୁ ନେଇ ତଥ୍ୟରେ ତାଳମେଳ ରହୁ ନଥିବାରୁ ପଶ୍ଚିମବଙ୍ଗ ରାଜ୍ୟପାଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏସବୁକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବାସ୍ଥ୍ୟ ସଚିବ ବିବେକ କୁମାରଙ୍କୁ ପରିବେଶ ବିଭାଗକୁ ବଦଳି କରିଛନ୍ତି। ପରିବହନ ସଚିବ ନାରାୟଣ ସ୍ବରୂପ ନିଗମଙ୍କୁ ନୂତନ ଭାବେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି। ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଦଳ (ଆଇଏମ୍‌ସିଟି) ପଶ୍ଚିମବଙ୍ଗ ଗସ୍ତ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରିଚାଳନାଗତ ତ୍ରୁଟି ନେଇ କ୍ଷୋଭ ପ୍ରକାଶ କରିଥିଲେ। କୋଭିଡ-୧୯ ସଂକ୍ରାନ୍ତ ଗାଇଡଲାଇନ୍‌କୁ ପଶ୍ଚିମବଙ୍ଗ ଉଲଂଘନ କରିଛି ବୋଲି କେନ୍ଦ୍ରକୁ ରିପୋର୍ଟ ଦେଇଥିଲେ। ‌

ସମ୍ବନ୍ଧିତ ଖବର