ହସ୍ପିଟାଲରୁ ଫେରିଲେ ମମତା, ଦାୟିତ୍ବରେ ଥିବା ପୁଲିସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

କୋଲକାତା : ନନ୍ଦୀଗ୍ରାମରେ ଆହତ ହେବା ପରେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ଏକ ସପ୍ତାହ ପରେ ପୁଣି ମମତା ଡାକ୍ତରଖାନାକୁ ଆସି ଚେକ୍‌ଅପ୍‌ କରାଇବେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ନନ୍ଦୀଗ୍ରାମରେ ମୁଖ୍ୟମନ୍ତ୍ରୀ ଆହତ ହେବା ଘଟଣାରେ ଦାୟିତ୍ବରେ ଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କର୍ତ୍ତବ୍ୟରେ ଅବହେଳା ହେତୁ ଏଭଳି କାଣ୍ଡ ଘଟିଲା ବୋଲି କହିଛନ୍ତି କେନ୍ଦ୍ର ନିର୍ବାଚନ ଅଧିକାରୀ। ଗତ ୧୦ ତାରିଖ ଦିନ ପୂର୍ବ ମେଦିନୀପୁରର ନନ୍ଦୀଗ୍ରାମରେ ମମତା ପ୍ରାର୍ଥିପତ୍ର ଦାଖଲ କରି ଫେରିବା ବେଳେ ଭିଡ଼ ଭିତରେ କାର୍‌ ଡୋର୍‌କୁ କେହି ଜୋରରେ ବନ୍ଦ କରିଦେବାରୁ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ସେତେବେଳେ ଯେଉଁ ପୁଲିସ କର୍ମଚାରୀମାନେ ଦାୟିତ୍ବରେ ଥିଲେ ସେ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମଗାଯାଇଛି। ବିଧାନସଭା ନିର୍ବାଚନ ପାଇଁ ନିଯୁକ୍ତ ଦୁଇ ପର୍ଯ୍ୟବେକ୍ଷକ ଏବଂ ସରକାରଙ୍କ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନ କହିଛନ୍ତି।

ସମ୍ବନ୍ଧିତ ଖବର