ଆଖି ଆଗରେ ଚୋରି କଲେ ଚୋର, ଇଡି ଅଧିକାରୀ ଭାବି ଚୁପ ରହିଲେ ପଡ଼ୋଶୀ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରୁ ଚୋରି। ଦକ୍ଷିଣ ୨୪ ପରଗନାରେ ଥିବା ପାର୍ଥଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ଏହି ଘଟଣା ଜୁଲାଇ ୨୭ ରାତିରେ ଘଟିଥିଲା। ସୂଚନାନୁସାରେ, ଚୋରମାନେ ତାଲା ଭାଙ୍ଗି ମନ୍ତ୍ରୀଙ୍କ ଘରେ ପଶିଥିଲେ ଏବଂ ଚୋରି କରିଥିଲେ। ପଡ଼ୋଶୀ କହିଛନ୍ତି ଯେ ଚୋରମାନେ ସେମାନଙ୍କ ଘରୁ ଅନେକ ଜିନିଷ ନେଇ ଯାଇଛନ୍ତି। ସେମାନେ ଅନେକ ବ୍ୟାଗରେ ଭର୍ତ୍ତି କରି ଘରୁ ସାମଗ୍ରୀ ଚୋରି କରିଛନ୍ତି।

ସେଠାକାର ଲୋକମାନେ କହିଛନ୍ତି ଯେ ପ୍ରଥମେ ସେମାନେ ଭାବିଥିଲେ ଯେ ପାର୍ଥ ଚାଟାର୍ଜୀଙ୍କ ଘରେ ଇଡି ଆଉ ଏକ ଚଢ଼ଉ କରିଛି। ହେଲେ ପରେ ଏହା ଜଣାପଡିଥିଲା ​​ଯେ ଏହା ଚଢ଼ଉ ନୁହେଁ ବରଂ ଚୋରି। ଏବେ ଏନେଇ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ପାର୍ଥ ଚାଟାର୍ଜୀଙ୍କ ସହ ଗିରଫ ହୋଇଥିବା ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଦୁଇଟି ଫ୍ଲାଟ୍‌ରୁ ଏବେ ସୁଦ୍ଧା ସମୁଦାୟ ୫୦ କୋଟି ଟଙ୍କା ଜବତ ହୋଇ ସାରିଛି। ପ୍ରଥମେ ଅର୍ପିତାଙ୍କ ଏକ ଫ୍ଲାଟ୍‌ରୁ ୨୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା। ଗତକାଲି ତାଙ୍କ ଦ୍ବିତୀୟ ଫ୍ଲାଟ୍‌ରୁ ୨୯ କୋଟି ଟଙ୍କା ଓ ୫ କିଲୋଗ୍ରାମ୍‌ର ସୁନା ଅଳଙ୍କାର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଦୀର୍ଘ ୧୮ ଘଣ୍ଟାର ଜେରାରେ ତଦନ୍ତକାରୀ ସଂସ୍ଥା କୋଲକାତାର ବେଲଘରିଆରେ ଥିବା ଅର୍ପିତାଙ୍କ ଘରୁ ୧୦ ଟ୍ରଙ୍କ୍‌ ଟଙ୍କା ଜବତ କରିଥିବା ସୂଚନା ରହିଛି। ଅର୍ପିତାଙ୍କ ଘରୁ ବାହାରିଥିବା ଟଙ୍କାକୁ ଗଣିବା ପାଇଁ ଇଡି ଅଧିକାରୀମାନେ ୩ଟି ଟଙ୍କା ଗଣିବା ମେସିନ୍‌ ବ୍ୟବହାର କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର