ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରୁ, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଆଲୋକିତ କରିବା ପାଇଁ ପଶ୍ଚିମବଙ୍ଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ, କେନ୍ଦ୍ରର ଏ ନିଷ୍ପତ୍ତିକୁ ନେଇ କ୍ଷୁବ୍ଧ ହେବା ସହ ଆଶ୍ଚର୍ଯ୍ୟ ପ୍ରକଟ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖି ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। କାରଣ, କେନ୍ଦ୍ରର ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଲୋକମାନେ ‘ଯନ୍ତ୍ରଣା’ ପାଇବେ ବୋଲି ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।
ସୁଶ୍ରୀ ବାନାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ପ୍ରଜ୍ଞାପନ ମେଢ଼ର ପ୍ରତ୍ୟାଖ୍ୟାନ ପାଇଁ କେନ୍ଦ୍ର ପକ୍ଷରୁ କୌଣସି କାରଣ ଦର୍ଶାଯାଇ ନାହିଁ।

Advertisment

‘ପଶ୍ଚିମବଙ୍ଗ ସରକାରଙ୍କ ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼କୁ ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡରୁ ହଠାତ୍‌ ବାଦ୍‌ ଦେବା ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିରେ ମୁଁ ଗଭୀର ଆଶ୍ଚର୍ଯ୍ୟ ଏବଂ ଆଘାତ ପାଇଛି। ଏହା ଆମ ପାଇଁ ଆହୁରି ବିସ୍ମୟକର ଯେ କୌଣସି କାରଣ କିମ୍ବା ଯଥାର୍ଥତା ନ୍ୟସ୍ତ ନକରି ପ୍ରଜ୍ଞାପନ ମେଢ଼କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା’ ବୋଲି ବାନାର୍ଜୀ ମୋଦୀଙ୍କୁ ଏକ ଦୁଇ ପୃଷ୍ଠାର ଚିଠିରେ ଲେଖିିଛନ୍ତି।

publive-image

ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ତାଙ୍କ ଆଇଏନଏର ୧୨୫ତମ ଜୟନ୍ତୀ ବର୍ଷରେ ଅବଦାନକୁ ସ୍ମରଣ କରିବାକୁ ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି।

‘ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ କେନ୍ଦ୍ର ସରକାରଙ୍କ ଏହି ମନୋଭାବ ଦ୍ୱାରା ପଶ୍ଚିମବଙ୍ଗର ସମସ୍ତ ଲୋକ ଗଭୀର ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏହା ଜାଣିବା ଆଶ୍ଚର୍ଯ୍ୟଜନକ ଯେ ଏହାର ସାହସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ଆମ ସ୍ୱାଧୀନତାର ୭୫ତମ ବର୍ଷରେ ସାଧାରଣତନ୍ତ୍ର ଦିବସ ପାଳନ କରିବା ପାଇଁ ଦେଶର ସମାରୋହରେ କୌଣସି ସ୍ଥାନ ପାଇନାହିଁ’।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପତ୍ରରେ ଲେଖିଛନ୍ତି, ‘ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ଏବଂ ଆମର ସ୍ୱାଧୀନତାର ୭୫ତମ ବର୍ଷରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ପଶ୍ଚିମବଙ୍ଗ ଦ୍ୱାରା ପ୍ରସ୍ତୁତ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରଜ୍ଞାପନ ମେଢ଼କୁ ଅନ୍ତର୍ଭୁକ୍ତ କରନ୍ତୁ।