ଭୁବନେଶ୍ବର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ମମତାଙ୍କ ପ୍ରାର୍ଥିତ୍ବ ଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ବିଜେପିର ଆଉ ଜଣେ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ପ୍ରାର୍ଥିପତ୍ର ଦାଖଲ। ସେ ବିଜେପି ବିଧାୟକଙ୍କ ଗହଣରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କୁ ଡମି ପ୍ରାର୍ଥୀ କରାଯାଇଛି ନା ଏହା ପଛରେ ଆଉ କିଛି ରହସ୍ୟ ଅଛି, ତାହାକୁ ନେଇ ଆଲୋଚନା ଜୋର୍ ଧରିଛି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ମମତା ବିଧାନସଭାକୁ ଯାଇ ସେଠାରେ ଦଳୀୟ ନେତାଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ମମତା କହିଥିଲେ, ବିଜେପି ଶୀର୍ଷ ନେତୃତ୍ବ ମୋତେ ଆଶୀର୍ବାଦ କରିଛନ୍ତି। ରାଜ୍ୟ, ମୋ ସମାଜ ଓ ମୋ ଜିଲ୍ଲା ପାଇଁ ବିକାଶର ସ୍ବର ରାଜ୍ୟସଭାରେ ଉଠାଇ ସମାଧାନ କରିବାକୁ ଚେଷ୍ଟା କରିବି। ଆସନ୍ତା ଦୁଇ ବର୍ଷ ପାଇଁ ରାଜ୍ୟସଭାରେ ଓଡ଼ିଶାର ସ୍ବର ହୋଇ କାମ କରିବି।

Advertisment

ଏହାର କିଛି ସମୟ ପରେ ଭୁବନେଶ୍ବରର ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଧାନସଭା ପରିସରରେ ପହଞ୍ଚିଥିଲେ। ସାଙ୍ଗରେ ବିଜେପିର କିଛି ବିଧାୟକଙ୍କୁ ନେଇ ରିଟର୍ଣ୍ଣିଂ ଅଫିସରଙ୍କ ପ୍ରକୋଷ୍ଠକୁ ଗଲେ। ତତ୍‌କ୍ଷଣାତ୍‌ କେହି କିଛି ବୁଝିପାରି ନଥିଲେ। ପରେ ଜଣାପଡ଼ିଲା ଯେ ଜଗନ୍ନାଥ ସ୍ବାଧୀନ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାହାରକୁ ଆସିଲା ପରେ ଜଗନ୍ନାଥ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖି ନଥିଲେ। ବିଧାୟକ ଅଗସ୍ତି ବେହେରା ଜଗନ୍ନାଥଙ୍କ ପ୍ରଥମ ପ୍ରସ୍ତାବକ ପଡ଼ିଥିଲା ବେଳେ ଦୁର୍ଗା ପ୍ରସନ୍ନ ନାୟକ, ଦୁଷ୍ମନ୍ତ ସ୍ବାଇଁ, ମନୋରଞ୍ଜନ ଦ୍ୟାନସାମନ୍ତରାୟ ଓ ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡ଼ିଛନ୍ତି।

ଏହି ଘଟଣାକୁ ନେଇ ଦିନତମାମ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଲା। ଜଗନ୍ନାଥଙ୍କୁ ଡମି ପ୍ରାର୍ଥୀ କରାଯାଇଛି ବୋଲି ଦଳୀୟ ମହଲରେ କୁହାଯାଉଛି। କିନ୍ତୁ କେଉଁ ପରିସ୍ଥିତିରେ ବିଜେପି ପରି ଏକ ଜାତୀୟ ଦଳ ଜଣେ ଡମି ପ୍ରାର୍ଥୀଙ୍କୁ ଆବଶ୍ୟକ କଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ମହଲରେ କୁହାଯାଉଛି, ମମତା ମହାନ୍ତଙ୍କ ପ୍ରାର୍ଥିପତ୍ରରେ କିଛିଟା ସମସ୍ୟା ରହିଥିବାରୁ ନାକଚର ଭୟ ରହିଛି। ସେଥି ପାଇଁ ଡମି ପ୍ରାର୍ଥୀ ଦିଆଯାଇଛି। ତେବେ ଏକ ଜାତୀୟ ଦଳର ରାଜ୍ୟସଭା ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ରରେ ତ୍ରୁଟି ରହିଥିବା ଘଟଣାକୁ ବହୁ ରାଜନୈତିକ ସମୀକ୍ଷକ ଗ୍ରହଣ କରିପାରୁ ନାହାନ୍ତି। ନିକଟ ଅତୀତରେ ଓଡ଼ିଶାରେ ଏମିତି କେବେ ଘଟି ନାହିଁ। କୌଣସି ଦଳ କେବେ ଡମି ପ୍ରାର୍ଥୀ ଦେଇଥିବାର ଉଦାହରଣ ନାହିଁ। ଆହୁରି ମଧ୍ୟ ଜଗନ୍ନାଥ ବିଜେପିର ଜଣେ ଟାଣୁଆ ନେତା। ଏଥର ସାଧାରଣ ନିର୍ବାଚନରେ ଖୁବ୍ କମ୍ ଭୋଟ୍ ବ୍ୟବଧାନରେ ସେ ହାରିଥିଲେ। ତେଣୁ ତାଙ୍କ ପରି ଜଣେ ନେତାଙ୍କୁ କେବଳ ଡମି ଭାବେ ଦଳ ବ୍ୟବହାର କରିବ, ତାହା ବି ଗ୍ରହଣୀୟ ହେଉନି। ଏହି ପ୍ରସଙ୍ଗରେ ସସ୍‌ପେନ୍ସ ଜାରି ରହିଥିଲା ବେଳେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କିଛି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଆସନ୍ତାକାଲି ଚିତ୍ର ସ୍ପଷ୍ଟ ହେବ।