କଂଗ୍ରେସ ପାଇଁ ମୋଦୀ ଶକ୍ତିଶାଳୀ ହେଉଛନ୍ତି, ପିକେଙ୍କ ପରେ କଂଗ୍ରେସକୁ ଘେରିଲେ ମମତା

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଗୋଆରେ କହିଛନ୍ତି ଯେ କଂଗ୍ରେସ ଦଳ ରାଜନୀତିକୁ ଗମ୍ଭୀର ଭାବେ ନେଉନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକ ଶକ୍ତିଶାଳୀ ହେଉଛନ୍ତି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଦିଲ୍ଲୀର ‘ଦାଦାଗିରି’ ଯଥେଷ୍ଟ। ମମତା କହିଛନ୍ତି, “ମୁଁ ବର୍ତ୍ତମାନ ସବୁକିଛି କହି ପାରିବି ନାହିଁ କାରଣ ସେମାନେ (କଂଗ୍ରେସ) ରାଜନୀତିକୁ ଗମ୍ଭୀରତାର ସହ ନେଇ ନାହାଁନ୍ତି। କଂଗ୍ରେସ କାରଣରୁ ମୋଦୀ ଅଧିକ ଶକ୍ତିଶାଳୀ ହେଉଛନ୍ତି। ଯଦି କେହି ନିଷ୍ପତ୍ତି ନେଇ ପାରିବେ ନାହିଁ, ତେବେ ଦେଶ ଏଥିପାଇଁ କାହିଁକି ଯନ୍ତ୍ରଣା ଭୋଗିବ? ” ମମତା କହିଛନ୍ତି, “ସେମାନେ (କଂଗ୍ରେସ) ଏକ ସୁଯୋଗ ପାଇଥିଲେ ।

ବିଜେପି ବିରୋଧରେ ଲଢ଼ିବା ପରିବର୍ତ୍ତେ ସେମାନେ ମୋ ରାଜ୍ୟରେ ମୋ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।” ସୂଚନା ଥାଉ କି ଯେ ଆସନ୍ତା ଗୋଆ ନିର୍ବାଚନରେ ​​ସମସ୍ତ ୪୦ ଟି ଆସନରେ ଟିଏମସି ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ପୂର୍ବରୁ ଘୋଷଣା କରିଛି। ସେ କହିଛନ୍ତି, “ମୁଁ ଚାହେଁ ଆଞ୍ଚଳିକ ଦଳଗୁଡ଼ିକ ଶକ୍ତିଶାଳୀ ହୁଅନ୍ତୁ। ସଂଘୀୟ ଢାଞ୍ଚା ମଜବୁତ ହେଉ। ଆମେ ରାଜ୍ୟଗୁଡ଼ିକୁ ଶକ୍ତିଶାଳୀ କରିବା ଉଚିତ୍, ଯଦି ରାଜ୍ୟଗୁଡ଼ିକ ଶକ୍ତିଶାଳୀ ହେବେ କେନ୍ଦ୍ର ଶକ୍ତିଶାଳୀ ହେବ। ଆମେ ଦିଲ୍ଲୀର ଦାଦାଗିରି ଚାହୁଁନାହୁଁ।” କଂଗ୍ରେସ କ’ଣ ନିଷ୍ପତ୍ତି ନେବ ବୋଲି ପଚରାଯିବାରୁ ସେ କହିଛନ୍ତି, “ମୁଁ କଂଗ୍ରେସ ବିଷୟରେ ଆଲୋଚନା କରିବାକୁ ଚାଁହୁନାହିଁ କାରଣ ଏହା ମୋର ଦଳ ନୁହେଁ। ମୁଁ ମୋର ନିଜସ୍ୱ ଆଞ୍ଚଳିକ ଦଳ ଗଠନ କରିଛି ଏବଂ କୌଣସି ସମର୍ଥନ ବିନା ଆମେ ତିନିଥର ସରକାର ଗଠନ କରିଛୁ। ”

ସୂଚନା ଥାଉ କି କିଛି ଦିନ ତଳେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଥିଲେ ଯେ ଜନସାଧାରଣ ମୋଦୀଙ୍କୁ ହଟାଇ ଦେବେ ବୋଲି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଯାହା ଭାବୁଛନ୍ତି, ସେଇଠି ତ ରାହୁଲ୍‌ ଗାନ୍ଧୀଙ୍କର ସମସ୍ୟା ରହିଛି। ବୋଧହୁଏ ତାଙ୍କର ଧାରଣା ଖୁବ୍‌ କମ୍‌ ସମୟରେ ଲୋକେ ନରେନ୍ଦ୍ର ମୋଦୀଙ୍କୁ ହଟାଇ ଦେବେ। କିନ୍ତୁ, ସେମିତି ହେବ ନାହିଁ। ମୋଦୀଙ୍କର ସାମର୍ଥ୍ୟକୁ ପରଖିବା, ବୁଝିବା ଏବଂ ସମୀକ୍ଷା ନ କରିବା ଯାଏ ଆପଣ ତାଙ୍କୁ ପରାସ୍ତ କରିବା ପରି ପ୍ରତିଦ୍ୱନ୍ଦ୍ୱୀ ଠିଆ କରାଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର