ରେଳ ଦୁର୍ଘଟଣାର ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି : ମମତା

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଚାଲିଛନ୍ତି । ସେ କହିଛନ୍ତି ଯେ  ଦୁର୍ଘଟଣାର ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି ।

ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ କଥା କଟାକଟି ପରେ ସେ ଆଜି ମଧ୍ୟ ନିଜର ପୂର୍ବ ବୟାନରେ ଅଟଳ ରହିଛନ୍ତି । ସେ କହିଛନ୍ତି ଯେ କେବଳ ପଶ୍ଚିମବଙ୍ଗର ୨୦୦ ଲୋକ ନିଖୋଜ ଅଛନ୍ତି । ଏଣୁ ସରକାର ମୃତ୍ୟୁସଂଖ୍ୟା ଜାଣିଶୁଣି ଲୁଚାଯାଉଛି ।

ଏହି ଦୁର୍ଘଟଣା ପଛରେ ନିଶ୍ଚିତ ଭାବେ ରେଳ ବିଭାଗର ଅବହେଳା ରହିଛି । ତାହାକୁ ଲୁଚେଇବାକୁ ମୃତ୍ୟୁସଂଖ୍ୟା କମ କରି କୁହାଯାଉଛି । ମୃତଦେହଗୁଡ଼ିକର ଚିହ୍ନଟ ପାଇଁ ଆହୁରି ଅଧିକ ସମୟ ଲାଗିବ, କିନ୍ତୁ ତାହା କରିବା ବଦଳରେ ସରକାର ତାହାକୁ ଲୁଚେଇବାରେ ଲାଗିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏତେବେଡ଼ ଦୁର୍ଘଟଣା ହେଲା ପରେ ବି ଘଟଣାସ୍ଥଳରେ କେନ୍ଦ୍ରୀୟ ଟିମ ପହଞ୍ଚିପାରିନାହିଁ । ସ୍ବାସ୍ଥ୍ୟ ବିଭାଗର ଟିମ, ଶିଶୁ ବିଭାଗ ଓ ଅନ୍ୟ ବିଭାଗର କେନ୍ଦ୍ରୀୟ ଟିମ କୁଆଡ଼େ ଗଲେ ?

ସୂଚନାଯୋଗ୍ୟ ଯେ ଓଡ଼ିଶା ସରକାରଙ୍କ ତଥ୍ୟ ଅନୁସାରେ ମୃତ୍ୟୁସଂଖ୍ୟା ୨୭୫ ରହିଛି । ଏହା ମଧ୍ୟରୁ ୮୮ ଜଣଙ୍କ ମୃତଦେହକୁ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି । କିନ୍ତୁ ମମତାଙ୍କ କହିବା ଅନୁସାରେ ପ୍ରକୃତ ମୃତ୍ୟୁସଂଖ୍ୟା ୫୦୦ ଟପିଯିବ ।

 

ସମ୍ବନ୍ଧିତ ଖବର