ପଶ୍ଚିମବଙ୍ଗରେ ବିଜେପିର ବିଜୟକୁ ଗ୍ରହଣ କରିପାରୁ ନାହାନ୍ତି ମମତା, ଟୁଇଟରରେ କବିତା ପୋଷ୍ଟ କରି ପ୍ରତିକ୍ରିୟା ରଖିଲେ ଦିଦି

କୋଲକାତା : ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ସଫଳତା ପରେ ଚିନ୍ତିତ ହୋଇ ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେବଳ ସେତିକି ନୁହେଁ, ଏହା ତାଙ୍କୁ ବ୍ୟଥିତ ମଧ୍ୟ କରିଛି। ନିଜର ଅଫିସିଆଲ୍ ଟୁଇଟର ହାଣ୍ଡେଲରେ ଏକ କବିତା ପୋଷ୍ଟ କରି ମମତା ନିଜର ମତ ସର୍ବସାଧାରଣ କରିଛନ୍ତି। ଏହି କବିତାର ଶୀର୍ଷକ ରହିଛି –ଆଇ ଡୋଣ୍ଟ ଏଗ୍ରି, ଅର୍ଥାତ ମୁଁ ସହମତ ନୁହେଁ। ଏହା ସ୍ପଷ୍ଟ ସୂଚାଉଛି କି ମମତା ବିଜେପିର ବିଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି କବିତାରେ ସେ ସାଂପ୍ରଦାୟିକତା ଓ ଧର୍ମ ଆଧାରରେ ଜନମତ ସଂଗ୍ରହକୁ ପସନ୍ଦ କରୁ ନ ଥିବା ଦର୍ଶାଇଛନ୍ତି।

ଆଜି ସଂଧ୍ୟାରେ ସେ ଦଳର ଏକ ଜରୁରୀ ବୈଠକ ଡକାଇଛନ୍ତି। ବିଜେପି ପଶ୍ଚିମବଙ୍ଗରେ ୪୨ଟି ଆସନ ମଧ୍ୟରୁ ୧୮ଟି ଆସନ ଲାଭ କରିବା ସହ ୪୦ ପ୍ରତିଶତ ଭୋଟ ପାଇଛି।

୨୦୧୪ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୧୭ ପ୍ରତିଶତ ଭୋଟ ପାଇଥିଲା ଏବଂ ଦୁଇଟି ଲୋକସଭା ଆସନ ଲାଭ କରିଥିଲା। ମାତ୍ର ଚଳିତ ନିର୍ବାଚନରେ ବିଜେପି ୧୩୦ଟି ବିଧାନସଭା ଆସନରେ ଆଗୁଆ ରହିଥିବା ସୂଚନା ମିଳିଛି। ଏହା ମମତାଙ୍କୁ ବିଚଳିତ କରିଛି।

ଆଉ ଏକ ଘଟଣାକ୍ରମରେ ମମତାଙ୍କ ନିର୍ଦ୍ଦେଶ କ୍ରମେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତୃଣମୂଳ କଂଗ୍ରେସ ବିଧାୟକ ଶୁଭ୍ରାଂଶୁ ରାୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଉଲ୍ଲେଖଯୋଗ୍ୟ କି ଶୁଭ୍ରାଂଶୁ ହେଉଛନ୍ତି  ବିଜେପି ନେତା ମୁକୁଲ୍ ରାୟଙ୍କ ପୁଅ। ମୁକୁଲ୍ ୨୦୧୭ ମସିହାରେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦାନ କରିଥିଲେ।

ସମ୍ବନ୍ଧିତ ଖବର