ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଏକାଠି ରଖିବାରେ ବିଫଳ ହୋଇଥିବା ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ତାଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ହେବାକୁ ଥିବା ଭୋଟଦାନରୁ ବିରତ ‌ରହିବ। ମମତା ବାନାର୍ଜୀଙ୍କ ଏଭଳି ନିଷ୍ପତ୍ତି ନେଇ ଜାତୀୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ ବିରୋଧୀ ଦଳର ନେତାମାନଙ୍କ ସହିତ ତାଙ୍କର ତୀବ୍ର ମତଭେଦ ସୃଷ୍ଟି ହୋଇଛି ନା କୌଣସି ଚାପରେ ପଡ଼ି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି? ବିଜେପି ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜଗଦୀପ ଧନଖଡ଼ ହେଉଛନ୍ତି ମମତାଙ୍କ କଟ୍ଟର ବିରୋଧୀ। ସେ ପଶ୍ଚିମ ବଙ୍ଗର ରାଜ୍ୟପାଳ ଥିବା‌ ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଡ଼ୁଆରେ ପକାଇବା ଲାଗି କୌଣସି ସୁଯୋଗ ହାତ ଛଡ଼ା କରିନଥିଲେ। ମମତା ଓ ତାଙ୍କ ମଧ୍ୟରେ ମୁକାବିଲା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ଏମିତି କଣ ହୋଇଗଲା ଯେ ଉପରାଷ୍ଟ୍ରପତି ନିର୍ବାଚନ ମତଦାନରେ ଭାଗ ନନେବା ଲାଗି ମମତା ନିଷ୍ପତ୍ତି ନେଇ ଏକ ପ୍ରକାର ଧନଖଡ଼ଙ୍କ ପାଇଁ ବିଜୟ ପଥକୁ ସୁଗମ କରିଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କୁ ଏହା ବିସ୍ମିତ କରିଛି।

Advertisment

ମିଳିଥିବା ରିପୋର୍ଟ ଅନୁଯାୟୀ ତାଙ୍କର ଏଭଳି କୋହଳ ଆଭିମୁଖ୍ୟ ପଛ‌ରେ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କର ଭୂମିକା ରହିଛି। ମହାରାଷ୍ଟ୍ର ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ ନେଇ ଚର୍ଚ୍ଚାରେ ଥିବା ହିମନ୍ତ ବିଶ୍ବଶର୍ମା ଗତ ୧୩ ତାରିଖରେ ମମତାଙ୍କୁ ଭେଟିଥିଲେ। ଏହି ସାକ୍ଷାତ ହୋଇଥିଲା ଦାର୍ଜିଲିଂ ରାଜଭବନରେ। ସେହି ସମୟରେ ରାଜଭବନରେ ଉପସ୍ଥିତ ଥିଲେ ଧନଖଡ଼। ସେମାନଙ୍କ ମଧ୍ୟରେ ଦୀର୍ଘ ୪୦ ମିନିଟ ଧରି ସାକ୍ଷାତ ଆଲୋଚନା ହୋଇଥିଲା। ଏହି ଅବସରର‌େ ଉପରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ ଲାଗି ମମତାଙ୍କୁ ଅନୁରୋଧ କରିଥିଲେ ଧନଖଡ଼। କିନ୍ତୁ ଧନଖଡ଼ଙ୍କୁ ସିଧା ସମର୍ଥନ ନଦେଇ ତାଙ୍କ ଦଳ ମତଦାନରୁ ବିରତ ରହିବ ବୋଲି ମମତା ପ୍ରତିଶ୍ରୁତି ଦେଇଥିଲେ ବୋଲି ଜଣାପଡ଼ିଛି। ଏହାଫଳରେ ଧନଖଡ଼ଙ୍କ ବିଜୟ ପଥ ସହଜ ହୋଇଯିବ। ବୈଠକରେ ହିମନ୍ତ ଏମିତି କଣ ବୁଝାଇଲେ ନା ଚାପ ପକାଇଲେ ଯେ ମମତା କୋହଳ ମନୋଭାବ ଗ୍ରହଣ କରିବାକୁ ବାଧ୍ୟ ହେଲେ।

ଏସଂପର୍କରେ ମମତାଙ୍କୁ ପଚରାଯିବାରୁ ବୈଠକରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସେ ହିମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଯାଇଥିଲେ ବୋଲି ସଫେଇ ଦେଇଛନ୍ତି। କେବଳ ଏତିକି ନୁହେଁ, ସେ ହିମନ୍ତଙ୍କର ପ୍ରଶଂସା କରିବାକୁ ବି ଭୁଲି ନାହାନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମା କୋଲକାତା ଯାଇ ମମତାଙ୍କୁ ସାକ୍ଷାତ କରିବା ପରିବର୍ତ୍ତେ ରାଜଭବନରେ କାହିଁକି ରହିଲେ? ପୁଣି ତାଙ୍କୁ ଭେଟିବା ଲାଗି ମମତା ରାଜଭବନ କାହିଁକି ଯାଇଥିଲେ? ଏହା ପଛରେ ରହସ୍ୟ କଣ? ଏହାକୁ ନେଇ ଏବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଘଣ୍ଟାଚକଟା ଚାଲିଛି।

ତେବେ ଟିଏମ୍‌ସିର ଏହି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍ ଆଲଭା। ଟ୍ବିଟ୍‌ କରି ସେ କହିଛନ୍ତି ଟିଏମ୍‌ସିର ଏଭଳି ନିଷ୍ପତ୍ତି ନିରାଶାଜନକ। ଗୋଟିଏ ଜଟିଳ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଆଉ ଏକ ଜଟିଳ କିମ୍ବା ଭିନ୍ନ ପ୍ରଶ୍ନ ପଚାରିବା, ଅହଂ କିମ୍ବା କ୍ରୋଧ ଦେଖାଇବାର ସମୟ ବର୍ତ୍ତମାନ ନୁହେଁ। ବରଂ ଏହା ସାହସ, ନେତୃତ୍ବ ଓ ଏକତାର ସମୟ। ମମତା ବାନାର୍ଜୀ ଯେ କି ସାହସର ପ୍ରତୀକ, ବିରୋଧୀ ଦଳଙ୍କ ସହିତ ରହିବେ ବୋଲି ଆଲଭା ଆଶା ପ୍ରକାଶ କରିଛନ୍ତି।