କୋଲକାତା: ଆସନ୍ତା ବୁଧବାର ହେବାକୁ ଥିବା ବିରୋଧୀ ଇଣ୍ଡିଆ ମେଣ୍ଟର ସମନ୍ବୟ କମିଟି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଯୋଗଦେବେ ନାହିଁ। ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକ ସଂପର୍କରେ ସେ ଅବଗତ ନାହାନ୍ତି। ଏଥିପାଇଁ ମୁଁ ଉତ୍ତର ବଙ୍ଗରେ ପୂର୍ବରୁ ଏକ ବୈଠକ ରଖିଛି। ସେଠାରେ ମୋର ୭ ଦିନିଆ କାର୍ଯ୍ୟକ୍ରମ ରହିଛି। ଇଣ୍ଡିଆ ମେଣ୍ଟର ବୈଠକ ସଂପର୍କରେ ପୂର୍ବରୁ ଯଦି ଜାଣିଥାନ୍ତି ତାହେଲେ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥାନ୍ତି। ମେଣ୍ଟ ବୈଠକକୁ ନିଶ୍ଚିତ ଯାଇଥାନ୍ତି। କିନ୍ତୁ ଯେହେତୁ ମୋ’ ପାଖରେ କୌଣସି ସୂଚନା ନାହିଁ ତେଣୁ ମୁଁ ଉତ୍ତର ବଙ୍ଗ ଗସ୍ତରେ ଯାଉଛି ବୋଲି ମମତା କହିଛନ୍ତି।
ତେବେ ତାଙ୍ଗ ଦଳ ମଧ୍ୟ ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକରେ ଯୋଗଦେଇ ନପାରେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଇଣ୍ଡିଆର ଅନ୍ୟ ସହଯୋଗୀ ଦଳ ସହିତ ଆସନ ବୁଝାମଣା ନକରିବା ଯୋଗୁ କଂଗ୍ରେସ ବିଧାନସଭା ନିର୍ବାଚନରେ ହାରିଲା ବୋଲି ମମତା ମନ୍ତବ୍ୟ ଦେଇଛନ୍ତି। ସେହିଭଳି ତୃଣମୂଳ କଂଗ୍ରେସ ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀ କହିଛନ୍ତି ସମସ୍ତଙ୍କୁ ଏକାଠି ନେଇ କାର୍ଯ୍ୟ କରିବା ତ୍ବରାନ୍ବିତ ହେବା ଆବଶ୍ୟକ। ଏହା କଥାରେ ନୁହେଁ କାମରେ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ମମତା ବାନାର୍ଜୀଙ୍କ ଘୋଷଣା ପରେ କଂଗ୍ରେସ ପ୍ରବକ୍ତା ଜୟରାମ ରମେଶ କହିଛନ୍ତି, ଏହା ଏକ ଅଣଆନୁଷ୍ଠାନିକ ବୈଠକ। ୩ଟି ରାଜ୍ୟରେ ବଡ଼ ପରାଜୟ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଗତକାଲି ଇଣ୍ଡିଆ ମେଣ୍ଟର ବୈଠକ ଆସନ୍ତା ବୁଧବାର ଡାକିଛନ୍ତି।