ଏନଆଇଏ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି : ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଏନଆଇଏ ହିଁ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ମୋମିନପୁର ସାମ୍ପ୍ରଦାୟିକ ହିଂସା ଘଟଣାର ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦିଆଯିବାର ଏକ ସପ୍ତାହ ପରେ ମମତାଙ୍କ ଏହି ଅଭିଯୋଗ ଆସିଛି ।

ଗତ ମାସରେ ପଶ୍ଚିମବଙ୍ଗର ମୋମିନପୁରରେ ଘଟିଥିବା ସାମ୍ପ୍ରଦାୟିକ ଉତ୍ତେଜନା ସମ୍ପର୍କରେ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଭିଆଇପିମାନେ ଉତ୍ତେଜନା ସୃଷ୍ଟି କରିବା ନିମନ୍ତେ ନିଜ କାରରେ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା ନେବାଆଣିବା କରିଛନ୍ତି ।

ଭିଆଇପି କାରଗୁଡିକର ଗତିବିଧି ଉପରେ ନଜର ରଖିବା ପାଇଁ ନାକା ଯାଞ୍ଚକୁ କଡ଼ାକଡ଼ି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଜେପିର ନାମ ନ ନେଇ ବାନାର୍ଜୀ କହିଛନ୍ତି ଯେ କଳା କାରରେ ଭିଆଇପିମାନେ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା ବହନ କରୁଛନ୍ତି । ତେବେ ଏହି ଭିଆଇପିମାନେ କିଏ ସେ ସମ୍ପର୍କରେ ସେ କିଛି କହିନାହାନ୍ତି ।

ନାଦିଆ ଜିଲ୍ଲାରେ ଏକ ପ୍ରଶାସନିକ ବୈଠକ କରୁଥିବା ବେଳେ ମମତା ଏହି ଅଭିଯୋଗ ଆଣିଛନ୍ତି । ନାଦିଆ ଜିଲ୍ଲା ବିଜେପିର ଏକ ଗଡ଼ ଭାବେ ଜଣାଶୁଣା ।

ସେ କହିଛନ୍ତି ଯେ ନଦିଆରେ କେତେକ ସାଂପ୍ରଦାୟିକ ସଂଗଠନ ରହିଛନ୍ତି । ଏବେ ଏନଆଇଏ ସେଠାକୁ ଯାଇ ଉତ୍ତେଜନାକୁ ବଢାଉଛି । ଆମେ ସେମାନଙ୍କ ଯୋଜନା ସଂପର୍କରେ ଜାଣିଛୁ, କିନ୍ତୁ ସେଗୁଡ଼ିକୁ ସର୍ବସାଧାରଣରେ ପ୍ରକାଶ କରିହେବ ନାହିଁ, ସେଗୁଡ଼ିକୁ ଭିତିରିଆ ମୁକାବିଲା କରାଯିବ ।

 

 

ସମ୍ବନ୍ଧିତ ଖବର