କୋଲକାତା: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଏମ୍ବିବିଏସ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ‘ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଦରକାର’ ବୋଲି ମମତା କହିଛନ୍ତି। ଏଭଳି ବୟାନକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି। ସରକାରଙ୍କ ଏଭଳି ବେପରୁଆ ନୀତି ଯୋଗୁ ହିଁ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢ଼ିଚାଲିଛି ବୋଲି ବିଜେପି କହିଛି। ଦୁର୍ଗାପୁରରେ ଆଜି ମଧ୍ୟ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ବିଭିନ୍ନ ଛାତ୍ର ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି। ପୀଡ଼ିତା ଏବେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପିତା ପଶ୍ଚିମବଙ୍ଗର ପୁଲିସ ବ୍ୟବସ୍ଥା ଉପରୁ ଆସ୍ଥା ହରାଇଛନ୍ତି। ସେ କହିଛନ୍ତି, ‘ଏଠାରେ ଯେ କୌଣସି ସମୟରେ ମୋ ଝିଅର ଜୀବନ ଚାଲିଯାଇପାରେ। ଆମେ ତାଙ୍କୁ ଓଡ଼ିଶାକୁ ଫେରାଇ ନେବୁ, ସେ ଓଡ଼ିଶାରେ ପଢ଼ିବ।’ ପରିବାର ପକ୍ଷରୁ ନ୍ୟୁ ଟାଉନ୍ସିପ ପୁଲିସ ଥାନାରେ ଏଫ୍ଆଇଆର୍ ଦାୟର କରାଯାଇଛି। ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି।
ଓଡ଼ିଶାର ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଲେ
ବୟାନକୁ ବିଭିନ୍ନ ମହଲର ନିନ୍ଦା
ଏହି ମାମଲାରେ ଅଧିକ ଲୋକଙ୍କ ସମ୍ପୃକ୍ତି ଓ ପୀଡ଼ିତାଙ୍କ ବନ୍ଧୁଙ୍କ ଭୂମିକା ଯାଞ୍ଚ କରାଯାଉଛି। ମମତା ଆଜି ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ କହିଛନ୍ତି, ଏହି ଅପରାଧ ମାମଲାରେ କାହାରିକୁ ଛାଡ଼ାଯିବ ନାହିଁ। ଘରୋଇ କଲେଜର ବେପରୁଆ ସୁରକ୍ଷା ନୀତିକୁ ମଧ୍ୟ ମମତା ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସରକାରଙ୍କୁ ଅନୁଚିତ ଭାବେ ଟାର୍ଗେଟ୍ କରାଯାଉଥିବା ବୋଲି ସେ କହିଛନ୍ତି। ମମତା ଆଜି ଓଡ଼ିଶାର ଆଇନଶୃଙ୍ଖଳା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ପ୍ରାୟ ମାସକ ତଳେ ପୁରୀରେ ଘଟିଥିବା ଏକ ଗଣଦୁଷ୍କର୍ମ ମାମଲାକୁ ଉଲ୍ଲେଖ କରି ଓଡ଼ିଶା ସରକାର ଏହି ମାମଲାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ମମତା ପ୍ରଶ୍ନ କରିଛନ୍ତି। ତେବେ ନିଜ ରାଜ୍ୟରେ ପୁଣି ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଯଥୋଚିତ ପଦକ୍ଷେପ ନେବା ବଦଳରେ ମମତା ରାଜନୈତିକ ବୟାନ ଦେଇ ସମ୍ବେଦନହୀନତାର ପ୍ରମାଣ ଦେଇଛନ୍ତି ବୋଲି ବିଜେପି ନେତା ସୁକାନ୍ତ ମଜୁମଦାର କହିଛନ୍ତି। ଏହି ଘଟଣାକୁ ନେଇ ଦୁର୍ଗାପୁରରେ ବିକ୍ଷୋଭ ଜାରି ରହିଛି। ଜନସାଧାରଣ ନ୍ୟାୟ ଓ ସୁରକ୍ଷା ଦାବି କରୁଛନ୍ତି। ସୋସିଆଲ ମିଡିଆରେ ମମତାଙ୍କ ମନ୍ତବ୍ୟ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।