ନୂଆଦିଲ୍ଲୀ: ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଏବେ ଜାତୀୟସ୍ତରରେ ବିଜେପିର ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ପଶ୍ଚିମବଂଗ ବିଧାନସଭା ନିର୍ବାଚନରେ ତାଙ୍କର ବହୁ ଚର୍ଚ୍ଚିତ ସ୍ଲୋଗାନ ‘ଖେଲା ହୋବେ’କୁ ଆଜି ସେ ଜାତୀୟସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରିଛନ୍ତି। ବିଜେପିକୁ କ୍ଷମତାରୁ ହଟାଇବା ପର୍ଯ୍ୟନ୍ତ ସବୁ ରାଜ୍ୟରେ ‘ଖେଲା ହୋବେ’ ବୋଲି ମମତା କହିଛନ୍ତି। ବିଜେପିର ମୁକାବିଲା ପାଇଁ ନୂଆ ସାମ୍ମୁଖ୍ୟ ଗଠନ କରିବା ଜରୁରୀ ବୋଲି ମମତା ଆଜି ଟିଏମ୍ସିର ସହିଦ ଦିବସ ଅବସରରେ ଅନୁଷ୍ଠିତ ଭର୍ଚୁଆଲ ରୢାଲିରେ କହିଛନ୍ତି।
ମମତା ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଜି ସ୍ପଷ୍ଟ କରିଦେବା ସହ ଖୁବ୍ଶୀଘ୍ର ଏ ବାବଦରେ ବୈଠକ ଆୟୋଜନ କରିବା ପାଇଁ ଅନ୍ୟ ବିରୋଧୀ ଦଳ ନେତାମାନଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ୨୭ ଜୁଲାଇରୁ ମମତାଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ବିରୋଧୀ ଦଳ ନେତାମାନଙ୍କୁ ଭେଟି ନୂଆ ସାମ୍ମୁଖ୍ୟ ଗଠନ ନେଇ ଆଲୋଚନା କରିବେ। ପୋଗାସସ ପ୍ରସଙ୍ଗରେ ମମତା କହିଛନ୍ତି, ‘ମୁଁ ଜାଣିଛି ମୋ ଫୋନ୍ ଟ୍ୟାପ୍ ହେଉଛି। ସବୁ ବିରୋଧୀ ଦଳ ନେତାମାନେ ଜାଣିଛନ୍ତି ସେମାନଙ୍କ ଫୋନ୍ ଟ୍ୟାପ୍ ହେଉଛି। ମୁଁ ଏନ୍ସିପି ନେତା ଶରଦ ପାୱାର କିମ୍ବା ଅନ୍ୟ ନେତାମାନଙ୍କ ସହ କଥା ହେଲେ କେନ୍ଦ୍ର ସରକାର ତାହା ଉପରେ ନଜର ରଖୁଛନ୍ତି।’
୨୦୨୪ ଲୋକସଭା ନିର୍ବାଚନରେ ଏଭଳି ଗୁଇନ୍ଦାଗିରି କାମ ଦେବନାହିଁ ଏବଂ ଆମ ସାମ୍ମୁଖ୍ୟ କ୍ଷମତାକୁ ଆସିଲେ ସମଗ୍ର ଦେଶରେ ମାଗଣା ରାସନ ଦେବ ବୋଲି ମମତା କହିଛନ୍ତି। ‘ଏବେ ଲୋକସଭା ନିର୍ବାଚନ ପାଇଁ ଆମ ହାତରେ ୩ ବର୍ଷ ଅଛି କିନ୍ତୁ ଆମକୁ ଆଗୁଆ ପ୍ରସ୍ତୁତି କରିବାକୁ ପଡ଼ିବ’ ବୋଲି ମତ ରଖି ସେ କହିଛନ୍ତି ଯେ ବିରୋଧୀ ଦଳମାନେ ଏକଜୁଟ ହେବାକୁ ପଡ଼ିବ। ସୁପ୍ରିମ୍ କୋର୍ଟ ପେଗାସସ୍ ସ୍ପାଏୱେର ମାମଲାକୁ ଗମ୍ଭୀରତାର ସହ ନେଇ ନ୍ୟୟ ପ୍ରଦାନ ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ମମତା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/mamata-b.jpg)