ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଶୁକ୍ରବାର ଦିନ କଂଗ୍ରେସକୁ ଏକ ଆଶ୍ୱାସନା ବାର୍ତ୍ତା ଦେଇଛନ୍ତି। ୫ ରାଜ୍ୟ‌ରେ କଂଗ୍ରେସର ଶୋଚନୀୟ ପରାଜୟ ‌ହେବାପରେ ମମତା କହିଛନ୍ତି, କଂଗ୍ରେସ ସକାରାତ୍ମକ ମନୋଭାବ ରଖିବା ଦରକାର। ଆଜିର ଫଳାଫଳ ଭବିଷ୍ୟତରେ ବିଜେପି ପାଇଁ ବ୍ୟାପକ କ୍ଷତି କରିବ। ମମତା କହିଛନ୍ତି, ଯଦି କଂଗ୍ରେସ ଚାହିବ ତେବେ ୨୦୨୪ ଲୋକସଭା ନିର୍ବାଚନ ଆମେ ଏକାଠି ଲଢ଼ିପାରିବା। ବର୍ତ୍ତମାନ ପାଇଁ ଚିନ୍ତା ନକରି କଂଗ୍ରେସ ସକାରାତ୍ମକ ରହିବା ଦରକାର ବୋଲି ମମତା କହିଛନ୍ତି। ତେବେ ୨୦୨୨ ନିର୍ବାଚନ ଫଳ ୨୦୨୪ ଲୋକସଭା ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ମୋଦୀ ଦେଇଥିବା ଟିପ୍ପଣୀକୁ ଟିଏମ୍‌ସି ମୁଖ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ମମତା କହିଛନ୍ତି ଏଭଳି ଟିପ୍ପଣୀ ଅବାସ୍ତବ। ମମତା ଇଭିଏମ୍‌ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ବିଜେପି ଭୋଟ୍‌ ଲୁଟ୍‌ କରିଛି ବୋଲି ସେ କହିଛନ୍ତି।

Advertisment

ଇଭିଏମ୍‌ ଅପବ୍ୟବହାର ହୋଇଛି: ମମତା
କୋଲକାତା : ଉତ୍ତର ପ୍ରଦେଶରେ ବିଜେପିର ବିପୁଳ ବିଜୟ ପରେ ଇଭିଏମ୍ ଅପବ୍ୟବହାର ହୋଇଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବଙ୍କୁ କହିଛନ୍ତି, ପରାଜୟକୁ ନେଇ ହତାଶ ହେବା ଉଚିତ ନୁହେଁ। ଇଭିଏମ୍‌ର ଫରେନସିକ୍ ପରୀକ୍ଷା କରାଇବା ଆବଶ୍ୟକ। ଅଖିଳେଶ ଯାଦବଙ୍କ ଭୋଟ୍ ପ୍ରତିଶତ ଏଥର ୨୦% ରୁ ୩୭% କୁ ବୃଦ୍ଧି ପାଇଛି। ଚଳିତ ନିର୍ବାଚନରେ ୩୭% ଭୋଟ୍‌ ପାଇ ମଧ୍ୟ ହାରିଲେ କିପରି? ଏଥିରୁ ସ୍ପଷ୍ଟ ହେଉଛି, ଇଭିଏମ୍‌ର ବ୍ୟାପକ ଅପବ୍ୟବହାର ହୋଇଛି ବୋଲି ମମତା ଅଭିଯୋଗ କରିଛନ୍ତି।