କୋଲକାତା: କୋଲକାତା ଡାକ୍ତର ଦୁଷ୍କର୍ମ ଓ ମାମଲାକୁ ନେଇ ଏବେ ରାଜନୀତି ମଧ୍ୟ ସରଗରମ ରହିଛି। ପଶ୍ଚିମବଙ୍ଗର ଟିଏମ୍‌ସି ସରକାରକୁ ସୁପ୍ରିମ୍‌କୋର୍ଟ ଏହି ମାମଲାରେ କଡ଼ା ଭର୍ତ୍ସନା କରିଥିବା ବେଳେ ସାଧାରଣରେ ମଧ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏହି ମାମଲାରେ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଏକ କଠୋର କେନ୍ଦ୍ରୀୟ ଆଇନ ଆଣିବାକୁ ଅନୁରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି। ମମତା ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ସାରା ଦେଶରେ ପ୍ରତିଦିନ ପ୍ରାୟ ୯୦ଟି ଦୁଷ୍କର୍ମ ଘଟଣା ଘଟୁଛି ଏବଂ ଏହା ଭୟଙ୍କର। ଏହାକୁ ରୋକିବା ପାଇଁ କଠୋର ଆଇନ ସହ ଫାଷ୍ଟଟ୍ରାକ୍ କୋର୍ଟର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଛନ୍ତି। ଅଗଷ୍ଟ ୯ ତାରିଖରେ କୋଲକାତା ଡାକ୍ତରଖାନାରେ ଜଣେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ପରେ ଉପୁଜିଥିବା ପରିସ୍ଥିତି ପରିପ୍ରେକ୍ଷୀରେ ମମତାଙ୍କ ଏହି ପତ୍ର ଚର୍ଚ୍ଚାରେ ରହିଛି। ଏହି ପ୍ରସଙ୍ଗରେ ସାରା ଦେଶରେ ବ୍ୟାପକ ବିକ୍ଷୋଭ ଓ ଡାକ୍ତରମାନେ ଧର୍ମଘଟ କରିଥିବା ବେଳେ ମମତା ପୂରା ଦେଶର ଦୁଷ୍କର୍ମ ତଥ୍ୟ ରଖିଛନ୍ତି ଏବଂ କୋଲକାତା ମାମଲାକୁ ନେଇ ଅଧିକ ହୋହଲ୍ଲା କରାଯାଉଥିବା ନେଇ ପରୋକ୍ଷରେ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment

ମମତା ଲେଖିଛନ୍ତି,‘ମାନ୍ୟବର ପ୍ରଧାନମନ୍ତ୍ରୀ, ମୁଁ ସମଗ୍ର ଦେଶରେ ନିୟମିତ ଏବଂ ବୃଦ୍ଧି ପାଉଥିବା ଦୁଷ୍କର୍ମ ମାମଲା ନେଇ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ଏବଂ ଉପଲବ୍ଧ ତଥ୍ୟ ଅନୁଯାୟୀ ଅନେକ ମାମଲାରେ ହତ୍ୟା ସହିତ ଦୁଷ୍କର୍ମ ଘଟୁଛି। ସମଗ୍ର ଦେଶରେ ଦୈନିକ ପ୍ରାୟ ୯୦ଟି ଦୁଷ୍କର୍ମ ଘଟଣା ଘଟିବା ଭୟଙ୍କର। ଏହା ସମାଜ ଓ ରାଷ୍ଟ୍ରର ଆତ୍ମବିଶ୍ୱାସ ଓ ବିବେକକୁ ଦୋହଲାଇ ଦେଇଥାଏ। ମହିଳାମାନେ ଯେପରି ସୁରକ୍ଷିତ ଅନୁଭବ କରିବେ ସେଥିପାଇଁ ଏହାକୁ ବନ୍ଦ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଏଭଳି ଗମ୍ଭୀର ଓ ସମ୍ବେଦନଶୀଳ ପ୍ରସଙ୍ଗକୁ କଠୋର କେନ୍ଦ୍ରୀୟ ଆଇନ ଜରିଆରେ ବ୍ୟାପକ ଭାବେ ସମାଧାନ କରାଯିବାର ଆବଶ୍ୟକତା ରହିଛି, ଯେଉଁଥିରେ ଏଭଳି ଘୃଣ୍ୟ ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ହୋଇପାରିବ। ତୁରନ୍ତ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତାବିତ ଆଇନରେ ଏଭଳି ମାମଲାର ତ୍ୱରିତ ଶୁଣାଣି ପାଇଁ ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ଗଠନ ଉପରେ ମଧ୍ୟ ବିଚାର କରାଯିବା ଉଚିତ।’ ଏଭଳି ମାମଲାର ଶୁଣାଣି ୧୫ ଦିନ ମଧ୍ୟରେ ଶେଷ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।