କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଦବଙ୍ଗଗିରି କରି ଗାଳିଗୁଲଜ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଶନିବାର ଜଣେ ମହିଳା ବନ ଅଧିକାରୀଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି। ଏହାକୁ ନେଇ ରାଜ୍ୟ ଜେଲ୍ ମନ୍ତ୍ରୀ ଅଖିଳ ଗିରି ବିବାଦକୁ ଆସିଛନ୍ତି। ମନ୍ତ୍ରୀଙ୍କ ଭିଡିଓ ଫେସବୁକରେ ସେୟାର କରି ପଶ୍ଚିମବଙ୍ଗ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି।

Advertisment

ପଶ୍ଚିମବଙ୍ଗ ଜେଲ୍ ମନ୍ତ୍ରୀ ଅଖିଳ ଗିରି ଶନିବାର ଜଣେ ମହିଳା ଜଙ୍ଗଲ ଅଧିକାରୀଙ୍କ ସହ ଅସଦାଚରଣ କରିବା ସହ ତାଙ୍କୁ ଠେଙ୍ଗାରେ ପିଟିବାକୁ ଧମକ ଦେଇଛନ୍ତି। ଏହି ମହିଳା ଅଧିକାରୀ ପୂର୍ବ ମେଦିନାପୁର ଜିଲ୍ଲାର ତାଜପୁରରେ ହୋଇଥିବା ଅତିକ୍ରମଣ ହଟାଇବା ପାଇଁ ଦଳର ନେତୃତ୍ୱ ନେଉଥିଲେ। ଏହି ସମୟରେ ଜେଲ୍ ମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲ ବିଭାଗ ଦଳ ଉପରେ ରାଗି ଯାଇଥିଲେ।

ଜେଲ ମନ୍ତ୍ରୀ ଅଖିଳ ଗିରି ମହିଳା ଅଧିକାରୀଙ୍କୁ ଜୋର୍‌ରେ ପାଟି କରି କହିଥିଲେ ତୁମେ ଜଣେ ସରକାରୀ କର୍ମଚାରୀ, କଥା କହିବା ସମୟରେ ମୋ ଆଗରେ ମୁଣ୍ଡ ନୁଆଁଇ କଥାବାର୍ତ୍ତା କରନ୍ତୁ। ଗୋଟିଏ ସପ୍ତାହ ମଧ୍ୟରେ ତୁମ ସହିତ କ’ଣ ହେବ ଦେଖନ୍ତୁ । ଏହି ଗୁଣ୍ଡାମାନେ ତୁମକୁ ଘରକୁ ଯିବାକୁ ଦେବେ ନାହିଁ । ତୁମେ ତୁମର ଆଚରଣରେ ଉନ୍ନତି କର, ନଚେତ୍ ମୁଁ ତୁମକୁ ଠେଙ୍ଗାରେ ପିଟିବି। ଏହି ବିଷୟରେ ମହିଳା ଅଧିକାରୀ ପରେ କହିଥିଲେ ଯେ ଆମେ ଜଙ୍ଗଲ ଜମି ମୁକ୍ତ କରିବାକୁ ଯାଇଛୁ। ଆମର ବାରମ୍ବାର ଚେତାବନୀ ପରେ ଅତିକ୍ରମଣ କରାଯାଇଥିଲା।

ଭାରତୀୟ ଜନତା ପାର୍ଟି(ବିଜେପି) ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଟୁଇଟ୍‌ କରି କହିଛି ଯେ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରି ଜଙ୍ଗଲ ଅଞ୍ଚଳରେ ବେଆଇନ ଅତିକ୍ରମଣ ହଟାଇବା ଦାୟିତ୍ବ ତୁଲାଉଥିବାରୁ ମହିଳା ଅଧିକାରୀଙ୍କୁ ଧମକ ଦେଇଛନ୍ତି।

ମମତା ବାନାର୍ଜୀ ଏହି ମନ୍ତ୍ରୀଙ୍କୁ ଜେଲ୍‌ରେ ରଖିବାକୁ ସାହସ କରିବେ କି? ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ମହିଳାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହେବ କି? ଏବେ ରାଜ୍ୟରେ ବିଜେପି ଟିଏମସି ସରକାରଙ୍କୁ ଘେରିବା ଆରମ୍ଭ କରିଛି। ମନ୍ତ୍ରୀ ମହିଳା ଅଧିକାରୀଙ୍କୁ ଧମକାଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।