ଗତ ୫ ବର୍ଷରେ ମମତା ବାନାର୍ଜୀଙ୍କ ସଂପତ୍ତି ଅଧା କମିଛି

କୋଲକାତା : ଗତ ୫ ବର୍ଷରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସଂପତ୍ତି ପରିମାଣ ଅଧା ହ୍ରାସ ପାଇଛି ।

ନିର୍ବାଚନ କମିଶନଙ୍କ ନିକଟରେ ଦେଇଥିବା ନିଜର ସତ୍ୟପାଠରେ ସେ ଦର୍ଶାଇଛନ୍ତି ଯେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୧୬.୭୨ ଲକ୍ଷ ଟଙ୍କା, ଯାହାକି ୫ ବର୍ଷ ତଳେ ସେ ଦର୍ଶାଇଥିବା ସମ୍ପତ୍ତିଠାରୁ ୪୮ ପ୍ରତିଶତ କମ । ୨୦୧୬ରେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୩୦.୪୫ ଲକ୍ଷ ଟଙ୍କା ଥିଲା ।

ପୂର୍ବ ମେଦିନିପୁରର ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରୁ ଲଢୁଥିବା ମମତା ବାନାର୍ଜୀଙ୍କର ନିଜର କୌଣସି ଗାଡ଼ି  କିମ୍ବା ଭୂସମ୍ପତ୍ତି ନାହିଁ । ୨୦୧୯-୨୦ରେ ତାଙ୍କର ମୋଟ ଆୟ ୧୦,୩୪,୩୭୦ ଟଙ୍କା ଥିଲା ।

ତାଙ୍କ ହାତରେ ଏବେ ୬୯,୨୫୫ ଟଙ୍କାର ନଗଦ ଟଙ୍କା ରହିଛି ଓ ବ୍ୟାଙ୍କରେ ତାଙ୍କ ସାଢେ ୧୩ ଲକ୍ଷ ଟଙ୍କାର ଜମା ରହିଛି । ତାଙ୍କର ୧୮,୪୯୦ ଟଙ୍କାର ଜାତୀୟ ସଂଚୟ ପ୍ରମାଣପତ୍ର ରହିଛି ।

ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ରିପୋର୍ଟ ଅନୁସାରେ ବର୍ତ୍ତମାନଥିବା ପଶ୍ଚିମବଙ୍ଗର ୨୮୨ ବିଧାୟକଙ୍କ ମଧ୍ୟରୁ ୯୭ ଜଣ ହେଉଛନ୍ତି କୋଟିପତି । ଟିଏମସିର ୭୮ ଜଣ କୋଟିପତି ବିଧାୟକ ଅଛନ୍ତି ।

ସମ୍ବନ୍ଧିତ ଖବର