ହ୍ବିଲ୍‌ ଚେୟାର୍‌ରେ ମମତାଙ୍କ ରୋଡ୍‌ ସୋ, ଘାଇଲା ବାଘ ଅଧିକ ଭୟଙ୍କର

କୋଲକାତା: ପଶ୍ଚିମବଂଗର ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ଆହତ ହେବାର ୪ ଦିନ ପରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଆଜି ହ୍ବିଲ୍‌ଚେୟାରରେ ବସି ରୋଡ୍‌ ସୋ କରିଛନ୍ତି। ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ପ୍ରଚାର ବେଳେ ମମତା କହିଛନ୍ତି ‌ଏକ ଘାଇଲା ବାଘ ଅଧିକ ଭୟଙ୍କର ହୋଇଥାଏ। ମୋ ଜୀବନରେ ଅନେକ ଆଘାତ ପାଇଛି, ବହୁ ଆକ୍ରମଣର ସମ୍ମୁଖୀନ ହୋଇଛି। ହେଲେ କେଉଁଠି ବି ମଥାନତ କରି ନାହିଁ ବୋଲି ମମତା କହିଛନ୍ତି। ହସ୍ପିଟାଲ୍‌ ଛାଡ଼ିବା ପରେ ଆଜି ପ୍ରଥମ ଥର ମେଓ ରୋଡ୍‌ରୁ ହାଜ୍ରା ମୋଡ଼ ପର୍ଯ୍ୟନ୍ତ ରୋଡ୍‌ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ତୃଣମୂଳର ବରିଷ୍ଠ ନେତାମାନଙ୍କ ଗହଣରେ ଏବଂ ସୁରକ୍ଷା କର୍ମୀ ସହାୟତାରେ ହୁଇଲ୍‌ ଚେୟାରରେ ପାଞ୍ଚ କିମି ରୋଡ଼ ସୋ କରିବା ପରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ଯୋଡ଼ହସ୍ତରେ ଜନତାଙ୍କୁ ସମ୍ବୋଧିତ କରି ମମତା କହିଲେ, ଭଙ୍ଗାଗୋଡ଼ରେ ହୁଇଲ୍‌ ଚେୟାରରେ ବସି ସମଗ୍ର ବଙ୍ଗଳାରେ ପ୍ରଚାର କରିବି। ଯଦି ଜନତା ଆମକୁ ଭୋଟ୍‌ ଦେବେ, ତା’ହେଲେ ଗଣତନ୍ତ୍ର ସେମାନଙ୍କ ନିକଟକୁ ନିଶ୍ଚୟ ଫେରିବ। ବାଂଲା ବିରୋଧରେ ହେଉଥିବା ସମସ୍ତ ଷଡ଼ଯନ୍ତ୍ରରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଆସନ୍ତାକାଲି ମମତାଙ୍କର ପୁରୁଲିଆ ଏବଂ ବାଙ୍କୁରାରେ ପ୍ରଚାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର