ମମତାଙ୍କ ଭିଡିଓ ବାର୍ତ୍ତା: ଆବଶ୍ୟକସ୍ଥଳେ ହ୍ବିଲ୍‌ ଚେୟାରରେ ପ୍ରଚାର କରିବି

ସମର୍ଥକଙ୍କ ବିକ୍ଷୋଭ, ରାସ୍ତା ଅବରୋଧ, ଟିଏମ୍‌ସି କର୍ମୀଙ୍କୁ ଶାନ୍ତ ରହିବାକୁ କହିଲେ

କୋଲକାତା: ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ହସ୍ପିଟାଲରୁ ଏକ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସମର୍ଥକମାନଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି। ଜନସାଧାରଣଙ୍କ ପାଇଁ ସମସ୍ୟା ସୃଷ୍ଟି ହେଲା ଭଳି କାର୍ଯ୍ୟ ନ କରିବାକୁ ମମତା ଟିଏମ୍‌ସି କର୍ମୀଙ୍କୁ ନିବେଦନ କରିଛନ୍ତି। କିଛିଦିନ ମଧ୍ୟରେ ସେ ନିର୍ବାଚନ ପ୍ରଚାରକୁ ଫେରିବେ ଏବଂ ଆବଶ୍ୟକ ହେଲେ ହ୍ବିଲ୍‌ ଚେୟାର ବ୍ୟବହାର କରିବେ ବୋଲି ମମତା ଏହି ବାର୍ତ୍ତାରେ କହିଛନ୍ତି।

ଆଜି ଟିଏମ୍‌ସି ନେତାମାନେ ଅଭିଯୋଗ କରିଛନ୍ତି ଯେ ନନ୍ଦିଗ୍ରାମ ନିର୍ବାଚନ ପ୍ରଚାର ସମୟରେ ଆହତ ହୋଇଥିବା ମମତାଙ୍କୁ ସୁରକ୍ଷା ଉପଲବ୍ଧ କରାଇବାରେ ନିର୍ବାଚନ କମିସନ ବିଫଳ ହୋଇଛି। ନିର୍ବାଚନ କମିସନ ନିଜ ଦାୟିତ୍ବ ଠିକ୍‌ରେ ପାଳନ କରୁନଥିବାରୁ ନିର୍ବାଚନ ତାରିଖ ଘୋଷଣା ପରଠାରୁ ରାଜ୍ୟରେ ଆଇନଶୃଙ୍ଖଳାରେ ଅବନତି ଘଟୁଥିବା ସେମାନେ କହିଛନ୍ତି। ଟିଏମ୍‌ସି ପ୍ରତିନିଧି ଦଳ ଆଜି ନିର୍ବାଚନ କମିସନର ଅଧିକାରୀଙ୍କୁ ଭେଟିବା ପରେ ପକ୍ଷପାତପୂର୍ଣ୍ଣ ନୀତି ଚଳାଇଥିବା ଅଭିଯୋଗ କରିଛି। ବିଜେପି କଥାରେ ନିର୍ବାଚନ କମିସନ ପରିଚାଳିତ ହେଉଥିବାରୁ ରାଜ୍ୟରେ ନିର୍ବାଚନୀ ବାତାବରଣ ଖରାପ ଆଡ଼କୁ ଗତି କରୁଛି ବୋଲି ଟିଏମ୍‌ସି ଅଭିଯୋଗ କରିଛି। ଟିଏମ୍‌ସିର ଏଭଳି ଅଭିଯୋଗ ନେଇ ନିର୍ବାଚନ କମିସନ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଟିଏମ୍‌ସିର ଅଭିଯୋଗ ଉଦ୍ଦେଶ୍ୟମୂଳକ ଏବଂ ବିଭ୍ରାନ୍ତ ସୃଷ୍ଟିକାରୀ ବୋଲି କମିସନ ତାଙ୍କ ଜବାବରେ କହିଛନ୍ତି। କେବଳ ବେପରୁଆ ଅଭିଯୋଗ ଆସିଛି ଏବଂ ଏହା କୌଣସି ତଥ୍ୟକୁ ସାବ୍ୟସ୍ତ କରୁନାହିଁ ବୋଲି ନିର୍ବାଚନ କମିସନ ଟିଏମ୍‌ସିକୁ ଜବାବ ଦେଇଛନ୍ତି। ବିଜେପି ମଧ୍ୟ ଟିଏମ୍‌ସିର ସମସ୍ତ ଅଭିଯୋଗକୁ ମିଥ୍ୟା ଓ ଷଡ଼ଯନ୍ତ୍ରପୂର୍ଣ୍ଣ ବୋଲି ଦର୍ଶାଇବା ସହ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଛି। ସିବିଆଇ ତଦନ୍ତ ହେଲେ ହିଁ ସତ୍ୟ ସାମ୍ନାକୁ ଆସିବ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତୃଣମୂଳ ସମର୍ଥକମାନେ ବିକ୍ଷୋଭ, ଶୋଭାଯାତ୍ରା ଏବଂ ରାସ୍ତା ଅବରୋଧ କରିଛନ୍ତି। ଅନ୍ୟପକ୍ଷରେ ମମତାଙ୍କୁ ଭେଟିବା ପାଇଁ ଆଜି ବିଜେପିର ଏକ ପ୍ରତିନିଧି ଦଳ ହସ୍ପିଟାଲ ଯାଇଥିଲେ। ତେବେ ସେମାନଙ୍କୁ ଭେଟିବାକୁ ମମତା ମନା କରିଦେଇଥିଲେ।

ଟିଏମ୍‌ସି ନେତା ଶେଖ୍‌ ସୁଫିୟାନଙ୍କ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ ପୁଲିସ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ କେସ୍‌ ରୁଜୁ କରିଛି। ପୂର୍ବ ମେଦିନିପୁର ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଆଇପିସିର ଧାରା ୩୪୧ ଏବଂ ଧାରା ୩୨୩ ଅଧୀନରେ ମାମଲା ରୁଜୁ ହୋଇଛି। ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ମମତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଟିମ୍‌ କହିଛନ୍ତି ଯେ ତାଙ୍କ ହାତ ଓ ବାମଗୋଡ଼ର ପାଦରେ ଆଘାତ ଲାଗିଛି। ଦିନେ ଦୁଇଦିନ ମଧ୍ୟରେ ମମତା ହସ୍ପିଟାଲରୁ ଫେରିପାରନ୍ତି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର