ନୂଆଦିଲ୍ଲୀ: ଭାରତ-ମ୍ୟାଁମାର ସୀମାରେ ଏଣିକି ଅନୁପ୍ରବେଶ ବନ୍ଦ କରିବା ପାଇଁ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି କରାଯିବ। ଏହା ସହିତ ସମଗ୍ର ସୀମାରେ ତାର ବାଡ଼ ଲଗାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଘୋଷଣା କରିଛନ୍ତି। ମ୍ୟାଁମାର ସୈନିକମାନେ ସେଠାରେ ଲାଗି ରହିଥିବା ଗୃହଯୁଦ୍ଧରୁ ବର୍ତ୍ତିବା ପାଇଁ ଭାରତ ଭିତରକୁ ପଳାଇ ଆସୁଥିବାରୁ କେନ୍ଦ୍ର ସରକାର ଏ ଦିଗରେ ଆଭିମୁଖ୍ୟ କଠୋର କରିଛନ୍ତି। ଗତ ୩ ମାସ ମଧ୍ୟରେ ମ୍ୟାଁମାର ସେନାର ୬ ଶହରୁ ଅଧିକ ସୈନିକ ମିଜୋରାମରେ ଅନୁପ୍ରବେଶ କରିଥିବା ସେନା ସୂତ୍ରରୁ ଜଣାପଡ଼ିଛି। ମ୍ୟାଁମାର ଉଗ୍ରପନ୍ଥୀମାନେ ସେଠାରେ ସୈନିକଙ୍କ ଶିବିର କବ୍ଜା କରିନେଇଥିବାରୁ ଏଭଳି ସ୍ଥିତି ଆସିଥିବା ବେଳେ ଏହା ଭାରତର ସୁରକ୍ଷା ପ୍ରତି ବିପଦ ହେଉଛି। ନିକଟରେ ମିଜୋରାମର ଲାଙ୍ଗଟଲାଇ ଜିଲ୍ଲାରେ ଶତାଧିକ ମ୍ୟାଁମାର ସୈନିକଙ୍କୁ ଠାବ କରାଯିବା ପରେ ଭାରତୀୟ ସେନା ସେମାନଙ୍କୁ ପୁନଃ ମ୍ୟାଁମାର ପଠାଇବା ବ୍ୟବସ୍ଥା କରିଥିଲା।
ସୂଚନାଯୋଗ୍ୟ, ମ୍ୟାଁମାର ବିଦ୍ରୋହୀ ସେନା ଓ ଜୁଣ୍ଟା (ସାମରିକ) ସରକାର ମଧ୍ୟରେ ସଂଘର୍ଷ ଏବେ ଅଧିକ ଭୀଷଣ ହେବାରେ ଲାଗିଛି । ମିଜୋରାମ ସରକାର ଏ ନେଇ କେନ୍ଦ୍ର ସରକାରଙ୍କୁ ସତର୍କ କରାଇବା ସହ ପଡ଼ୋଶୀ ଦେଶର ସୈନିକମାନଙ୍କୁ ତୁରନ୍ତ ତାଙ୍କ ଦେଶକୁ ପଠାଇଦେବାକୁ ଅନୁରୋଧ କରିଥିଲେ। ସରକାରୀ ସୂତ୍ର ଅନୁଯାୟୀ, ପଶ୍ଚିମ ମିଆଁମାର ରାଖାଇନ୍ ରାଜ୍ୟରେ ଥିବା ଏକ ଜାତିଗତ ସଶସ୍ତ୍ର ଗୋଷ୍ଠୀ ଆରାକାନ୍ ଆର୍ମି (ଏଏ) ଉଗ୍ରବାଦୀମାନେ ସେମାନଙ୍କ ଶିବିରକୁ ଦଖଲ କରିବା ପରେ ସେମାନେ ମିଜୋରାମରେ ଆଶ୍ରୟ ନେଇଥିଲେ। ପରେ ଆସାମ ରାଇଫଲ୍ସ କ୍ୟାମ୍ପରେ ଏହି ଯବାନଙ୍କୁ ଆଶ୍ରୟ ଦିଆଯାଇଛି। ଶିଲଂରେ ଅନୁଷ୍ଠିତ ଉତ୍ତରପୂର୍ବ ପରିଷଦ ବୈଠକର ପୂର୍ଣ୍ଣାଙ୍ଗ ଅଧିବେଶନରେ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ଏ ନେଇ ଜରୁରୀ ଆଲୋଚନା ହୋଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ରାଜ୍ୟ ଭିତରେ ଆଶ୍ରୟ ନେଇଥିବା ମ୍ୟାଁମାର ସେନା ଯବାନଙ୍କୁ ଶୀଘ୍ର ପ୍ରତ୍ୟର୍ପଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ମିଜୋରାମ ସରକାର। ବଢୁଥିବା ଉତ୍ତେଜନା ଏବଂ ଏହି ଅଞ୍ଚଳର ସ୍ଥିରତା ଉପରେ ଏହାର ପ୍ରଭାବକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି। ଲାଲଦୁହୋମା କହିଛନ୍ତି, ଲୋକମାନେ ଆଶ୍ରୟ ପାଇଁ ମ୍ୟାଁମାରରୁ ଆମ ଦେଶକୁ ପଳାଇ ଆସୁଛନ୍ତି ଏବଂ ଆମେ ମାନବିକତା ଦୃଷ୍ଟିରୁ ସେମାନଙ୍କୁ ସାହାଯ୍ୟ କରୁଛୁ। ପାଖାପାଖି ୪୫୦ ଜଣ ସେନା କର୍ମଚାରୀଙ୍କୁ ଫେରାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।