ମୁଁ ଚାହିଁଥିଲେ ଯଶୋବନ୍ତ ସିହ୍ନା ଆହୁରି ଅଧିକ ଭୋଟ ପାଇଥାନ୍ତେ : ମମତା

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଚାଲିଥିବାବେଳେ ସର୍ବଶେଷ ସୂଚନା ଅନୁସାରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟ ହାସଲ କରିଛନ୍ତି  । ମୁର୍ମୁଙ୍କ ବିଜୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ସେ ଚାହିଁଥିଲେ ଯଶୋବନ୍ତ ଆହୁରି ଅଧିକ ଭୋଟ ପାଇଥାନ୍ତେ ।

ବିରୋଧୀ ଦଳ ପକ୍ଷରୁ ଏକ ସର୍ବସମ୍ମତ ପ୍ରାର୍ଥୀ ଘୋଷଣା କରିବାକୁ ମମତା ବାନାର୍ଜୀ ହିଁ ଉଦ୍ୟମ କରିଆସୁଥିଲେ । ପ୍ରଥମେ ସେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ନାମ ପ୍ରସ୍ତାବ ଦେଇଥିଲେ ବି ସେ ରାଜି ହୋଇନଥିଲେ । ପରେ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ନାଁ ପ୍ରସ୍ତାବ ଦେଇଥିଲେ, ସେ ବି ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ । ପରେ ଯଶୋବନ୍ତ ସିହ୍ନାଙ୍କ ନାଁ ଆଗକୁ ଅଣାଯାଇଥିଲା ଓ ଶେଷରେ ୟୁପିଏ ପକ୍ଷରୁ ତାଙ୍କ ନାଁ ଉପରେ ମୋହର ବାଜିଥିଲା । ସିହ୍ନା ଟିଏମସିର ଉପ-ସଭାପତି ପଦରୁ ଇସ୍ତଫା ଦେଇ ମନୋନୟନ ପତ୍ର ଦାଖଲ କରିଥିଲେ ।

ଅନ୍ୟପକ୍ଷରେ ଟିଏମସି ପକ୍ଷରୁ ଆଜି କୁହାଯାଇଛି ଯେ ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ଭାଗ ନେବ ନାହିଁ । ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନକର କିମ୍ବା ୟୁପିଏ ପ୍ରାର୍ଥୀ ମାର୍ଗାରେଟ୍ ଆଲଭା କାହାରିକୁ ସମର୍ଥନ କରାଯିବ ନାହିଁ । ଏ ସମ୍ପର୍କରେ ଟିଏମସି ନେତା ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଘୋଷଣା କରିଛନ୍ତି । ଭୋଟ ଦାନରୁ ଟିଏମସି ବିରତ ରହିବ ବୋଲି ସେ କହିଛନ୍ତି ।

 

 

ସମ୍ବନ୍ଧିତ ଖବର