କୋଲକାତା: ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଭିତରେ ସବୁଠାରୁ ବଡ ଲଢେଇ । ଏଠାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି । ଆଜି ଦିନରେ ମତଦାନ ଚାଲିଥିବା ବେଳେ ବୁଥ ଦେଖିବାକୁ ଯାଇଥିଲେ ମମତା । ଏଠାରେ ସେ ଅଭିଯୋଗ କରିଥିଲେ ଯେ, ବାହାର ଲୋକ ସ୍ଥାନୀୟ ଲୋକଙ୍କୁ ଭୋଟଦେବାକୁ ଦେଉନାହାନ୍ତି । ଏଠାରେ ଠିକ ଢଙ୍ଗରେ ମତଦାନ ହେଉନାହିଁ । ବାହାର ରାଜ୍ୟର ଲୋକଙ୍କୁ ଗୁଣ୍ଡା କରି ପଠାଇଛି ବିଜେପି ବୋଲି ସେ ଅଭିଯୋଗ କରିଥିଲେ । ଏପରିକି ଗୋଟିଏ ବୁଥରେ ସେ ଅନେକ ସମୟ ଧରି ବସିରହିଥିଲେ । ଏହାପରେ ସେ ସିଧା ରାଜ୍ୟପାଳଙ୍କୁ ଫୋନ କରି ଅଭିଯୋଗ କରିବାରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଟ୍ୱିଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଭରସା ଦେଇଥିଲେ।
ଅନ୍ୟପଟେ ଆଜି ଦିନରେ ଶୁଭେନ୍ଦୁଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ଏଥିରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡିର କିଛି କ୍ଷତି ହୋଇନାହିଁ । ଶୁଭେନ୍ଦୁ ଅଧିକାରୀଙ୍କ ପଛରେ କଭରେଜ ପାଇଁ ଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ରାଣୀଛକ ଓ ଦାରୁଲ ମଦ୍ରାସା ନିକଟରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରେ ପଥର ମାଡ ହୋଇଥିବା ଜଣାପଡିଛି । ଏହା ପଛରେ ଟିଏମସିର ହାତ ରହିଛି ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।