ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୪ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତକୁ ନେଇ ରାଜନୈତିକ ମହଲରେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି ଯେ ମମତା ବାନାର୍ଜୀ ସେଟିଂ (ବୁଝାମଣା) କରିବାକୁ ଦିଲ୍ଲୀ ଯାଇଛି । କିନ୍ତୁ ସରକାର ମମତାଙ୍କ ଏହି ଚାଲର ଶିକାର ହେବା ଉଚିତ ନୁହେଁ । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବିରୋଧୀମାନେ ଏପରି ଆରୋପ ଲଗାଇଥାନ୍ତି । ଏଥିରେ ନୂଆ କିଛି ନାହିଁ ।
ରାଜ୍ୟର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କ ଦୁର୍ନୀତିକୁ ନେଇ ତୃଣମୂଳ କଂଗ୍ରେସ ଏବେ ଭୀଷଣ ଅଡ଼ୁଆରେ ପଡ଼ିଯାଇଛି । ସାରା ଦେଶରେ ଏହି ଦୁର୍ନୀତି ବିଷୟରେ ଚର୍ଚ୍ଚା ଚାଲିଥିବାବେଳେ ତାହା ଟିଏମସିର ଭାବମୂର୍ତ୍ତୀକୁ କ୍ଷତିଗ୍ରସ୍ତ କରିଛି । ଏ ପରିପ୍ରେକ୍ଷୀରେ ମମତା ଓ ମୋଦୀଙ୍କ ମଧ୍ୟରେ ଭେଟକୁ ଗୁରୁତ୍ବ ଦିଆଯାଉଛି । ଏହି ଭେଟ ପରେ ଇଡିର କାର୍ଯ୍ୟାନୁଷ୍ଠାନ କିପରି ଚାଲିବ ତାହା ଉପରେ ସମସ୍ତଙ୍କ ନଜର ରହିବ ।
ନିଜର ଏହି ଗସ୍ତକାଳରେ ମମତା ନିଜ ଦଳର ସାଂସଦମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ସମ୍ଭାବନା ରହିଛି । ଆସନ୍ତା ସୋମବାରଦିନ ସେ କୋଲକାତା ଫେରିବାର କାର୍ଯ୍ୟକ୍ରମ ରହିଛି ।