୨୦୨୪ ନିର୍ବାଚନ ପାଇଁ ପ୍ରତି ଦୁଇ ମାସରେ ଥରେ ଦିଲ୍ଲୀ ପହଁଚିବେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପାଞ୍ଚ ଦିନ ଧରି ବିରୋଧୀ ଦଳର ନେତାଙ୍କୁ ଭେଟି ପଶ୍ଚିମବଙ୍ଗ ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି | ଏଣିକି ପ୍ରତି ଦୁଇ ମାସରେ ଥରେ ସେ ଦିଲ୍ଲୀ ଆସିବେ ବୋଲି କହିଛନ୍ତି | ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିକଳ୍ପ ହେବାକୁ ଚେଷ୍ଟା କରୁଥିବା ମମତା ସେହିପରି ‘ଗଣତନ୍ତ୍ରକୁ ବଞ୍ଚାଅ, ଦେଶକୁ ବଞ୍ଚାଅ’ ସ୍ଲୋଗାନ ଦେଇଛନ୍ତି।

ମମତା ବାନାର୍ଜୀଙ୍କ ୫ ଦିନର ରହଣି ଭିତରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନ୍ୟ ବିରୋଧୀ ଦଳର ନେତାମାନଙ୍କୁ ଭେଟିଥିଲେ | ସେହିପରି ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହ ଫୋନରେ କଥା ହୋଇଥିଲେ । ବିରୋଧୀ ଦଳର ନେତାଙ୍କ ସହ ମମତା ୨୦୨୪ରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

ଚର୍ଚ୍ଚା ହେଉଛି ଯେ ମମତା ୨୦୧୪ ମସିହାରୁ ଦେଶରେ କ୍ଷମତାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିକଳ୍ପ ହେବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଛନ୍ତି ଏବଂ ଏକ ବାର୍ତ୍ତା ଦେଇଛନ୍ତି ଯେ ସେ କଂଗ୍ରେସ ସହ ରହିବାରେ କୌଣସି ଅସୂୟା ବୋଧ କରନ୍ତି ନାହିଁ |

ସମ୍ବନ୍ଧିତ ଖବର