ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ମମତାଙ୍କ ଉଦ୍ୟମ

ନୂଆଦିଲ୍ଲୀ : ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ପୁଣି ଥରେ ବିରୋଧୀ ଦଳକୁ ଏକତ୍ରିତ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଭିନ୍ନ ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପତ୍ର ଲେଖି ଆସନ୍ତା ଜୁନ ୧୫ରେ ଏକ ବୈଠକରେ ଏକତ୍ରିତ ହେବାକୁ ସେ ଅନୁରୋଧ କରିଛନ୍ତି । ବୈଠକ ୧୫ ତାରିଖ ଅପରାହ୍ଣ ୩ଟା ବେଳେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ ପରିସରରେ ଅନୁଷ୍ଠିତ ହେବ ।

ମୋଟ ୨୨ ଜଣ ବିରୋଧୀ ଦଳ ନେତାଙ୍କୁ ସେ ପତ୍ର ଲେଖି ଆମନ୍ତ୍ରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ପଂଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ।

ତୃଣମୂଳ କଂଗ୍ରେସ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରିବାକୁ ଆମର (ଟିଏମସି)ର ଅଧ୍ୟକ୍ଷା ସବୁ ପ୍ରଗତିଶୀଳ ବିରୋଧୀ ଦଳମାନଙ୍କୁ ଆମନ୍ତ୍ରଣ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଓ ୨୧ରେ ଗଣତି ହେବ ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗତ ଗୁରୁବାରଦିନ ଘୋଷଣା କରାଯାଇଥିଲା ।

 

ସମ୍ବନ୍ଧିତ ଖବର