ପଶ୍ଚିମବଙ୍ଗ ନିର୍ବାଚନ ଉପରେ କରୋନା ପ୍ରଭାବ: ବଡ଼ ରାଲି କରିବେନି ମମତା‌, ମୋଦୀ

ପ୍ରଚାର ବାତିଲ କରି ସାରିଛନ୍ତି ରାହୁଲ

କୋଲକାତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅବଶି‌ଷ୍ଟ ନିର୍ବାଚନ ପାଇଁ ସେ କୋଲକାତାରେ କୌଣସି ବଡ଼ ରୢାଲି କରିବେ ନାହିଁ। ସପ୍ତମ ଓ ଅଷ୍ଟମ ପର୍ଯ୍ୟାୟରେ ସେ ଛୋଟ ଛୋଟ ରୢାଲି କରିବେ ଏବଂ ଖୁବ୍‌ କମ୍‌ ଲୋକଙ୍କୁ ନେଇ ଏହା ଆୟୋଜନ କରାଯିବ। ବିଭିନ୍ନ ସଭାରେ ସେ ଦେଉଥିବା ୧ ଘଣ୍ଟାର ଭାଷଣ ସମୟକୁ କମାଇ ୨୦ ମିନିଟ୍‌ରେ ସୀମିତ ରଖିଛନ୍ତି। ବଡ଼ ଜନସମାବେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ସେହିଭଳି ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନ ପ୍ରଚାର ରୢାଲିରେ ୫୦୦ରୁ ଅଧିକ ‌ଲୋକ ଯୋଗଦେବେ ନାହିଁ। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ନିର୍ବାଚନ ପ୍ରଚାର ପାଇଁ ଆଉ ବଡ଼ ରାଲି, ସଭାର ଆୟୋଜନ ମଧ୍ୟ ହେବ ନାହିଁ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଘୋଷଣା କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭାରେ ମଧ୍ୟ ଏହି ନିୟମ ପାଳନ ହେବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧି ଗତକାଲି ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିବେନି ବୋଲି କହିଥିଲେ। କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ଏଥିସହିତ ଅନ୍ୟ ରାଜନୈତିକ ଦଳକୁ ମଧ୍ୟ ଏ ‌ସଂପର୍କରେ ଚିନ୍ତା କରିବା ପାଇଁ କହିଥିଲେ। ଷଷ୍ଠ ପର୍ଯ୍ୟାୟ ପାଇଁ ୨୨ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ ରହିଥିଲା। ଏହାପରେ ସପ୍ତମ ଏବଂ ଅଷ୍ଟମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୬ ଓ ୨୯ ତାରିଖରେ ହେବ।

ସମ୍ବନ୍ଧିତ ଖବର